କଣ୍ଟେନରରୁ ୪୮ ଗୋରୁ ଉଦ୍ଧାର: ୨୮ ମୃତ,ଭୋ ଭୋ ହୋଇ କାନ୍ଦିଲେ ଆଇଆଇସି

ଚଣ୍ଡିଖୋଲ,୩।୯(ପ୍ରଦୀପ୍ତ କୁମାର ପୃଷ୍ଟି): ଗୋ ମାଫିଆମାନେ ଦିନକୁ ଦିନ ଜାତୀୟ ରାଜପଥରେ ଖୁଲମଖୁଲା ଗୋଚାଲାଣ କରୁଛନ୍ତି। ସୋମବାର ରାତିରେ ଗୋମାତାଙ୍କୁ ଅତି ଦୟନିୟ ଅବସ୍ଥାରେ ଏକ କଣ୍ଟେନରରେ ନିଆଯାଉଥିବାବେଳେ ବଡ଼ଚଣା ପୋଲିସ ଗାଡ଼ିକୁ ଜବତ କରିଛି। ସେଥିରେ ୭୬ ଗୋରୁ ଥିବାବେଳେ ୨୮ ଗାଈଙ୍କ ମୃତ୍ୟୁ ହୋଇଛି। ସୁସ୍ଥ ଥିବା ୪୮ ଗୋମାତାଙ୍କୁ ଉଦ୍ଧାର କରାଯାଇ ଚୌଦ୍ୱାର ଗୋଶାଳାକୁ ପଠାଯାଇଛି।
ପୋଲିସ ସୂଚନା ଅନୁଯାୟୀ, ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ନଳୀପୁରଠାରୁ (ୟୁପି୨୮ସିଟି୦୪୪୧) କଣ୍ଟେନରରେ କୋଲକାତାକୁ ଗୋଚାଲାଣ କରାଯାଉଥିଲା। ବଡ଼ଚଣା ଥାନା ଅଧିକାରୀ ମଧୁସ୍ମିତା ବେହେରା କୌଣସି ସୂତ୍ରରୁ ଖବର ପାଇ ଉକ୍ତ ଗାଡ଼ିର ପିଛା କରି ୫୩ନଂ. ଜାତୀୟ ରାଜପଥର ବଡ଼ଚଣା ଥାନା ଅନ୍ତର୍ଗତ କୁନ୍ଦଳ-ବେଣାପୁର ପୋଲ ନିକଟରେ ଗାଡ଼ିକୁ ଅଟକାଇଥିଲେ। ବେଆଇନ ଗୋଚାଲାଣ ହେଉଥିବା ଜାଣି ସେ ଗାଡ଼ିକୁ ଥାନାକୁ ଆଣିଥିଲେ। ଗୋମାତାଙ୍କୁ ଗାଡ଼ିରୁ ଉଦ୍ଧାର କରିବାବେଳେ ସେଥିରୁ ୨୮ ଗୋରୁ ଶ୍ୱାସ ରୁଦ୍ଧହୋଇ ମରିଯାଇଥବା ଦେଖିବାକୁ ମିଳିଥିଲା। ବଡ଼ଚଣା ପୋଲିସ ଓ ସ୍ଥାନୀୟ ଲୋକଙ୍କ ସାହାଯ୍ୟାରେ ମୃତ ଗୋମାତାଙ୍କୁ ଖଇରା ପଡ଼ିଆରେ ପୋତାଯାଇଥିଲା। ତେବେ ଏହି ସମୟରେ ଆଇଆଇସି ଭୋଭୋ କାନ୍ଦୁଥିବା ଦେଖିବାକୁ ମିଳିଥିଲା। ଥାନା ଅଧିକାରୀଙ୍କ ଏପରି କାର୍ଯ୍ୟକୁ ବୁଦ୍ଧିଜୀବୀ ପ୍ରଶଂସା କରିବା ସହ ଗୋ ଚାଲାଣକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।