ଜମ୍ମୁ,୧୫ା୮: ମଚାଇଲ ମାତା ମନ୍ଦିରକୁ ଯିବାକୁ ହେଲେ କିସ୍ତଓ୍ବାର ସହରରୁ ୯୦ କି.ମି. ଦୂର ଚଶୋତି ଗ୍ରାମ ପର୍ଯ୍ୟନ୍ତ ଗାଡ଼ିରେ ଯିବାକୁ ପଡ଼ିଥାଏ। ୯,୫୦୦ ଫୁଟ୍ ଉଚ୍ଚତାରେ ଥିବା ମଚାଇଲ ମାତା ପୀଠକୁ ୮.୫ କି.ମି. ବ୍ୟାପୀ ଟ୍ରେକିଂ ଏଇଠୁ ଆରମ୍ଭ ହୁଏ। ଜୁଲାଇ ୨୫ରୁ ଚାଲିଥିବା ମଚାଇଲ ମାତା ଯାତ୍ରା ସେପ୍ଟେମ୍ବର ୫ରେ ଶେଷ ହେବ। ଏହି ବାର୍ଷିକ ଯାତ୍ରାରେ ସାମିଲ ହେବା ପାଇଁ ଗୁରୁବାର ସେଠରେ ବହୁ ଭକ୍ତ, ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ମଧ୍ୟାହ୍ନ ୧୨ଟାରୁ ୧ଟା ମଧ୍ୟରେ ହଠାତ୍ ବାଦଲଫଟା ବର୍ଷା ହୋଇଥିଲା। ଏଥିରେ ଘରଦ୍ୱାର, ଦୋକାନ, ପୋଲିସ ଫାଣ୍ଡି ଓ ଭକ୍ତଙ୍କ ଆଶ୍ରୟସ୍ଥଳୀ ଭାସିଯାଇଥିଲା। ପାହାଡ଼ ଉପରୁ କାଦୁଅ ପାଣି ମାଡ଼ିଆସି ଧ୍ୱଂସଲୀଳା ଭିଆଉଥିବାବେଳର ଭିଡିଓ ସାମାଜିକ ଗଣମାଧ୍ୟମରେ ବହୁଳ ପ୍ରସାରିତ ହୋଇଛି। ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ (ଏନ୍ଡିଆର୍ଏଫ୍), ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବଳ (ଏସ୍ଡିଆର୍ଏଫ୍) ଓ ସେନା ଯବାନଙ୍କ ସହ ପୋଲିସ ଏବଂ ସ୍ଥାନୀୟ ସ୍ବେଚ୍ଛାସେବୀମାନଙ୍କୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି।
ଯବାନମାନେ ଅଦ୍ୟାବଧି ୪୬ ମୃତଦେହ ଠାବ କରିଥିବାବେଳେ ୧୬୭ ଜଣଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଛନ୍ତି। କିସ୍ତଓ୍ବାର ଡେପୁଟି କମିଶନର ପଙ୍କଜ କୁମାର ଶର୍ମା ଓ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀମାନେ ରେସ୍କ୍ୟୁ ଟିମ୍ ସହ ଘଟଣାସ୍ଥଳକୁ ଯାଇ ବ୍ୟକ୍ତିଗତ ଭାବେ ଉଦ୍ଧାର କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି। ଲୋକଙ୍କ ଜୀବନ ରକ୍ଷା ସହ ଆହତଙ୍କୁ ସହାୟତା ପ୍ରଦାନ ପାଇଁ ଉଦ୍ୟମ ଜାରି ରହିଥିବା ‘X’ରେ ସେନାର ହ୍ବାଇଟ୍ ନାଇଟ୍ କର୍ ପକ୍ଷରୁ ସୂଚନା ଦିଆାଯାଇଛି। ବାଦଲଫଟା ବର୍ଷାଜନିତ ବିପଦ ଆସିବାବେଳେ ଶ୍ରଦ୍ଧାଳୁଙ୍କ ପାଇଁ ଲଙ୍ଗର ସେବା ଚାଲିଥିଲା ବୋଲି ଅଧିକାରୀମାନେ କହିଛନ୍ତି। ଏହି ଟ୍ରାଜେଡି ପରେ ମଚାଇଲ ମାତା ମନ୍ଦିରକୁ ବାର୍ଷିକ ଯାତ୍ରା ସ୍ଥଗିତ ରଖାଯାଇଛି।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଜମ୍ମୁ-କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଏହି ବିପତ୍ତିରେ ଲୋକଙ୍କ ଜୀବନହାନିକୁ ନେଇ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଅଗଷ୍ଟ ୫ରେ ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲା ଧରାଲି ଗ୍ରାମରେ ବାଦଲଫଟା ବର୍ଷା ଯୋଗୁ ଅନେକ ଧନଜୀବନ ହାନି ହେବା ସହ ଶତାଧିକ ଲୋକ ନିଖୋଜ ହୋଇଯାଇଥିଲେ। ଫସିରହିଥିବା ଲୋକଙ୍କୁ ଉଦ୍ଧାର ଜାରି ରହିଥିବାବେଳେ ଏହାର ୯ ଦିନ ପରେ ଜମ୍ମୁ-କଶ୍ମୀରର ଚଶୋତି ଗ୍ରାମକୁ ଏକ ଅନୁରୂପ ବିପର୍ଯ୍ୟୟ ମାଡ଼ିଆସିଛି।