ଦଶମରେ ମାତ୍ର ୪୪%, ୧୩ ଥର ହୋଇଥିଲେ ଫେଲ; ହାର୍‌ ନମାନି ହେଲେ ଆଇଏଏସ୍‌ ଅଫିସର

କଥାରେ ଅଛି ପରାଜିତ ହେବା ପରେ ବିଜେତା ହେବାରେ ମଜା ଥାଏ। ଏଣୁ ସଫଳ ହେବାର ମୂଳ ମନ୍ତ୍ର ହେଉଛି ‘ଶେଷ ଯାଏ ଲଢ଼ିବା’। ସେଭଳି ଜଣେ ସଫଳ ମଣିଷର କାହାଣୀ ହେଉଛି ଆଇଏଏସ୍‌ ଅଫିସର ଅବନିଶ ଶରଣଙ୍କର। ସେ ଜୀବନରେ ଥରେ କିମ୍ବା ଦୁଇଥର ନୁହେଁ ବରଂ ୧୩ ଥର ଫେଲ୍‌ ହୋଇଥିଲେ। ହେଲେ ସେ ନିରାଶ ହୋଇ ନ ଥିଲେ। ଦଶମରେ ତାଙ୍କର ମାତ୍ର ୪୪% ମାର୍କ ଥିଲା। ପରେ ସେ ନିଜର ଚେଷ୍ଟା ବଳରେ ୟୁପିଏସ୍‌ସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଆଇଏଏସ୍‌ ହେବାରେ ସଫଳ ହୋଇ ଅନେକଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ଏବେ ସେ ଏକ ଟୁଇଟ୍‌ କରି ନିଜର ସଫଳତାର କାହାଣୀ ସମସ୍ତଙ୍କ ସହ ବାଣ୍ଟିଛନ୍ତି।

ଅବନିଶ ନିଜ ଟୁଇଟ୍‌ରେ କହିଛନ୍ତି, ଦଶମ ପରୀକ୍ଷାରେ ତାଙ୍କର ମାତ୍ର ୪୪.୭% ମାର୍କ ଥିଲା। ଦ୍ୱାଦଶରେ ସେ ୬୫% ଏବଂ ସ୍ନାତକରେ ତାଙ୍କର ୬୦% ମାର୍କ ଥିଲା। ଏହାପରେ ସେ ସିଡିଏସ୍‌ ଏବଂ ସିପିଏଫ୍‌ରେ ଫେଲ ହୋଇଥିଲେ। ସେହିଭଳି ରାଜ୍ୟର ଲୋକ ସେବା ଆୟୋଗର ପରୀକ୍ଷାରେ ସେ ୧୦ରୁ ଅଧିକ ଥର ଫେଲ ହୋଇଥିଲେ। ପ୍ରଥମ ପ୍ରୟାସରେ ୟୁପିଏସ୍‌ସି ପରୀକ୍ଷା କ୍ଲିକ୍‌ କରି ପାରି ନ ଥିଲେ। କାରଣ ସାକ୍ଷାତକାରରେ ସେ ଫେଲ୍‌ ହୋଇଯାଇଥିଲେ। ମାତ୍ର ସେ ଦ୍ୱିତୀୟ ପ୍ରୟାସରେ ୟୁପିଏସ୍‌ସି ପରୀକ୍ଷା ପାସ କରିଥିଲେ। ସେତେବେଳେ ତାଙ୍କର ର଼୍ୟାଙ୍କ ୭୭ ଥିଲା। ଫଳରେ ସେ ଆଇଏଏସ୍‌ ଅଫିସର ପାଲଟିଥିଲେ।

ଏବେ ଅଫିସରଙ୍କ ଟୁଇଟ୍‌ଟି ଭାଇରାଲ ହେଉଥିବା ବେଳେ ନିରାଶ ନ ହୋଇ ଆଗକୁ ବଢ଼ି ପରିଶ୍ରମ ଜାରି ରଖିବାର ସେ ପ୍ରେରଣା ଦେଉଥିବା ଅନେକେ ମତ ରଖିଛନ୍ତି।