ଜଙ୍ଗଲକୁ ଟେକିନେଇ ମାନସିକ ଅନଗ୍ରସର ନାବାଳିକାଙ୍କୁ ବଳାତ୍କାର କଲେ ୪୩ ବର୍ଷୀୟ ବ୍ୟକ୍ତି, ଧରାପଡିବା ପରେ…

ଦେବଗଡ଼,୧୨ା୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ଲଇମୁରା ଥାନା ଅଞ୍ଚଳରେ ମାନସିକ ଅନଗ୍ରସର ନାବାଳିକାଙ୍କୁ ବଳାତ୍କାର କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି ଗୁରୁବାର କୋର୍ଟଚାଲାଣ କରିଛି। ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ଅଭିଯୁକ୍ତ ହେଲେ ଏହି ଥାନା ଅଧୀନ ସାହାଜବାହାଳ ଗ୍ରାମର ଅଭିରାମ ବୁଡ (୪୩)। ସୂଚନା ଅନୁଯାୟୀ, ମାନସିକ ଅନଗ୍ରସର ନାବାଳିକା ଜଣଙ୍କ ଅନ୍ୟଜଣେ ନାବାଳିକାଙ୍କ ସହିତ ଗ୍ରାମ ନିକଟସ୍ଥ ନାଳକୁ ଗାଧୋଇବା ପାଇଁ ଯାଇଥିଲେ। ଏହି ସମୟରେ ଅଭିରାମ ତାଙ୍କୁ ନିକଟସ୍ଥ ଜଙ୍ଗଲକୁ ଟେକି ନେଇଥିଲେ। ସାଙ୍ଗରେ ଥିବା ଅନ୍ୟ ନାବାଳିକା ଏହାଦେଖି ନିଜ ଘରକୁ ଦୌଡି ପଳାଇବା ସହ ପରିବାର ଲୋକଙ୍କୁ ସବୁକଥା ଜଣାଇଥିଲେ। ଖବରପାଇ ପରିବାରର ଜଣେ ମହିଳା ଘଟଣାସ୍ଥଳକୁ ଆସି ଅଭିରାମଙ୍କ କବଳରୁ ନାବାଳିକାଙ୍କୁ ଉଦ୍ଧାର କରିଥିଲେ। ହେଲେ ଅଭିରାମ ସେଠାରୁ ଫେରାର ହୋଇଯାଇଥିଲେ। ଏନେଇ ପୀଡିତାଙ୍କ ମା’ ଗତ ୬ ତାରିଖରେ ଲଇମୁରା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁକରି ସାଇଣ୍ଟିଫିକ ଟିମ୍‌ ସହାୟତାରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା। ପରେ ପୋଲିସ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ବୁଧବାର ଅଭିରାମଙ୍କୁ ଗିରଫ କରିଥିଲା।

Dharitri – The Largest & Most Trusted Odia Daily