ଇମ୍ଫାଲ,୧୧ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତିଆଣ ହିଂସା କ୍ଷତିଗ୍ରସ୍ତ ମଣିପୁରକୁ ଗସ୍ତରେ ଯିବାର ଦିନକ ପୂର୍ବରୁ ଗୁରୁବାର ଉଖ୍ରୁଲ ଜିଲା ଫୁଙ୍ଗ୍ୟାର ନିର୍ବାଚନ ମଣ୍ଡଳୀର ଅନୂ୍ୟନ ୪୩ ଜଣ ଭାଜପା ସଦସ୍ୟ ସମୂହ ଇସ୍ତଫା ଦେଇଛନ୍ତି। ଦଳ ଭିତରେ ଚାଲିଥିବା କାର୍ଯ୍ୟକୁ ନେଇ ସେମାନେ ଅତ୍ୟନ୍ତ ଚିନ୍ତିତ। ତୃଣମୂଳ ସ୍ତରର ନେତାଙ୍କ ପ୍ରତି ଦଳରେ ସମ୍ମାନ ନାହିଁ କି ସେମାନଙ୍କ ସହ ପରାମର୍ଶ କରାଯାଉ ନାହିଁ। ଏହା ଇସ୍ତଫା ପଛର କାରଣ ବୋଲି ସେମାନେ ଦର୍ଶାଇଛନ୍ତି। ତେବେ ସେମାନଙ୍କ ସମ୍ପ୍ରଦାୟ ଏବଂ ମଣିପୁର ଜନସାଧାରଣଙ୍କ କଲ୍ୟାଣ ଲାଗି କାର୍ଯ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି। ନାଗାବହୁଳ ଏହି ନିର୍ବାଚନ ମଣ୍ଡଳୀରେ ଇସ୍ତଫା ଦେଇଥିବା ଭାଜପା ସଦସ୍ୟଙ୍କ ମଧ୍ୟରେ ମଣ୍ଡଳ ସଭାପତି, ମହିଳା, ଯୁବ ଓ କିଷାନ ମୋର୍ଚ୍ଚା ମୁଖ୍ୟ ପ୍ରମୁଖ ରହିଛନ୍ତି।