୪ବର୍ଷର ଶିଶୁକୁ ଏସଆଇ ବଳାତ୍କାର କରିଥିବା ଅଭିଯୋଗ, ଗେହେଲୋଟ ସରକାରଙ୍କୁ ଟାର୍ଗେଟ କଲା ଭାଜପା

ଦୌସା,୧୧।୧୧: ରାଜସ୍ଥାନ ଦୌସା ଜିଲାର ଲାଲସୋଟରେ ଜଣେ ସବ ଇନ୍ସପେକ୍ଟର (ଏସଆଇ) ଜଣେ ୪ବର୍ଷର ବାଳିକାକୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଯେତେବେଳେ ପୀଡିତା ଜଣକ ତାଙ୍କ ମା’ଙ୍କୁ ଏହି ଘଟଣା ବିଷୟରେ ଜଣାଇଥିଲେ, ଝିଅଟିର ପିତା ଏକ ମାମଲା ରୁଜୁ କରିବା ପାଇଁ ପୋଲିସ ଷ୍ଟେଶନରେ ପହଞ୍ଚିଥିଲେ। ଏଠାରେ ପୋଲିସ କର୍ମଚାରୀମାନେ ତାଙ୍କୁ ଅତି ନିର୍ମମ ଭାବେ ପିଟିଥିଲେ ଫଳରେ ତାଙ୍କ ହାତ ଭାଙ୍ଗି ଯାଇଥିଲା। ଜଣେ ନିରୀହ ଝିଅକୁ ବଳାତ୍କାର ଘଟଣାରେ ଭାଜପା ଗେହଲଟ ସରକାରକୁ ଟାର୍ଗେଟ କରିଛି।

ସୂଚନାଯୋଗ୍ୟ, ଏହି ଘଟଣା ଲାଲସୋଟର ରାହୁବାସ ପୋଲିସ ଷ୍ଟେଶନ ଅଞ୍ଚଳରେ ଘଟିଛି। ଏଠାରେ ରହୁଥିବା ଜଣେ ବ୍ୟକ୍ତି ପୋଲିସକୁ ଦେଇଥିବା ଅଭିଯୋଗରେ କହିଛନ୍ତି ଯେ ସେ ଶୁକ୍ରବାର ସକାଳେ ରାତି ଡ୍ୟୁଟି କରିବା ପରେ ଗାଁକୁ ଫେରିଥିଲେ। ସେ ଅପରାହ୍ନରେ ଶୋଇଥିଲେ। ତାଙ୍କ ଚାରି ବର୍ଷର ଝିଅ ଏବଂ ପତ୍ନୀ ଘରେ ଥିଲେ। ଏହି ସମୟ ମଧ୍ୟରେ ସବ ଇନ୍ସପେକ୍ଟର ଭୁପେନ୍ଦ୍ର ସିଂ (୫୪) ଘର ବାହାରେ ଖେଳୁଥିବା ଝିଅକୁ ସେଠାରୁ ନେଇଯାଇ ତାଙ୍କୁ ବଳାତ୍କାର କରିଥିଲେ। କିଛି ସମୟ ପରେ ଝିଅଟି ତାଙ୍କ ମା ପାଖରେ ପହଞ୍ଚି କାନ୍ଦି କାନ୍ଦି ଘଟଣା ବିଷୟରେ ସୂଚନା ଦେଇଥିଲା। ଅଭିଯୁକ୍ତ ଏସଆଇ ମଧ୍ୟ ନିରୀହ ଶିଶୁକୁ ୫୦ଟଙ୍କା ଦେଇଥିଲା। ଯେତେବେଳେ ମା ନିଜ ଝିଅର କଥାଶୁଣି ତା’ର ପୋଷାକ ଯାଞ୍ଚ କରିଥିଲେ, ସେତେବେଳେ ସେ ବଳାତ୍କାର ବିଷୟରେ ଜାଣିଥିଲେ। ସେ ଏହି ଘଟଣା ବିଷୟରେ ତାଙ୍କ ସ୍ବାମୀଙ୍କୁ ଜଣାଇଥିଲେ। ଯେତେବେଳେ ପୀଡ଼ିତାଙ୍କ ବାପା ଅଭିଯୋଗ କରିବାକୁ ପୋଲିସ ଷ୍ଟେସନରେ ପହଞ୍ଚିଥିଲେ, ଏଏସଆଇ ଛୋଟାଲାଲ ଏବଂ କନଷ୍ଟେବଳ ଟିକରାମ ତାଙ୍କୁ ମାଡ଼ ମାରିଥିଲେ। ମାଡ ଯୋଗୁଁ ପୀଡିତାଙ୍କ ପିତାଙ୍କ ହାତ ମଧ୍ୟ ଭାଙ୍ଗି ଯାଇଥିଲା।