ବାହାଘରରେ ଯୋଗ ଦେବାକୁ ଯାଉଥିଲେ, ହାଇଓ୍ବା ସହ ଧକ୍କାରେ ଚାଲିଗଲା ୪ ବର୍ଷ ପୁଅର ଜୀବନ; ମା’ବାପାଙ୍କ ସହ ୩ ଗୁରୁତର

ବଲାଙ୍ଗୀର,୨୭।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ଼-ଘସିଆନ-ଲରମ୍ଭା ରାସ୍ତାରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ହାଇଓ୍ବାକୁ ପଛପଟୁ ଏକ ବାଇକ ଧକ୍କା ଦେବା ଫଳରେ ବାଇକରେ ବସିଥିବା ଜଣେ ବାଳକଙ୍କ ମୃତ୍ୟୁ ହୋଇଛି। ମୃତ ବାଳକ ହେଉଛନ୍ତି ବିଲାଇସାଥି ଗାଁର ଜିତ ବରିହା (୪)। ସେହିଭଳି ବାପା ଭୀମ ବରିହା, ମାଁ ଚନ୍ଦ୍ରିକା ବାରିହା ଓ ଗାଡି ଚାଳକ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ତିନି ଜଣଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି।

ସୂଚନାନୁଯାୟୀ, ମୃତାହତମାନେ ଏକ ବାଇକରେ ସକ୍ରିପାଣି ଗାଁକୁ ଏକ ବାହାଘରରେ ଯୋଗ ଦେବାକୁ ଯାଉଥିଲେ । ମୃତ ଜିତ ବାଇକ ଆଗରେ ବସିଥିବାବେଳେ ଭିଣୋଇ ଗାଡ଼ି ଚଳାଉଥିଲେ। ବାପାମା’ ପଛରେ ବସିଥିଲେ। ଭାରସାମ୍ୟ ହରାଇ ବାଇକ୍‌ଟି ସାମ୍ନାରେ ଯାଉଥିବା ଏକ ହାଇୱାକୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ବାଳକଙ୍କ ମୃତ୍ୟୁ ହୋଇଯାଇଥିଲା। ସ୍ଥାନୀୟ ଲୋକେ ଅନ୍ୟମାନଙ୍କୁ ଉଦ୍ଧାର କରି ପ୍ରଥମେ ଘସିଆନ ଓ ପରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ। ଖବର ପାଇ ଘଟଣାସ୍ଥଳରେ ଲରମ୍ଭା ପୋଲିସ ପହଞ୍ଚି ତଦନ୍ତ କରୁଛି।