ମେକ୍ସିକୋ ବାର୍‌ରେ ଫୁଟିଲା ଗୁଳି: ୪ ମହିଳାଙ୍କ ସମେତ ୯ ମୃତ

ମେକ୍ସିକୋ ସିଟି,୧୧ା୧୧: ହିଂସା ପ୍ରଭାବିତ ମେକ୍ସିକୋର ଏକ ବାର୍‌ରେ ଗୁଳିକାଣ୍ଡ ଘଟି ୪ ମହିଳାଙ୍କ ସମେତ ୯ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଗୁଳିକାଣ୍ଡରେ ଅନ୍ୟ ୨ଜଣ ମହିଳା ଆହତ ହୋଇଥିବା ଜଣାପଡ଼ିଛି। ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବତ୍ତର୍ମାନ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ସୂଚନାଯୋଗ୍ୟ, ଗୁଆନାଜୁଆଟୋ ରାଜ୍ୟସ୍ଥିତ ଆପାସେଓଏଲ୍‌ ସହରର ଉକ୍ତ ବାର୍‌ରେ ବୁଧବାର ବିଳମ୍ବିତ ରାତିରେ କିଛି ବନ୍ଧୁକଧାରୀ ପଶି ଆଖିବୁଜା ଗୁଳି ଚଳାଇଥିଲେ। ଏହାପରେ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣଙ୍କ ନାମ ମାରୋ ହୋଇଥିବା ବେଳେ ସେ ସାଣ୍ଟା ରୋସା ଡେ ଲିମାଙ୍କ ଗ୍ୟାଙ୍ଗ୍‌ର ସଦସ୍ୟ ବୋଲି ଗୁରୁବାର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ବାର୍‌ ମାଲିକ ପ୍ରତିଦ୍ୱନ୍ଦ୍ୱୀ ଜାଲିସ୍କୋ କାର୍ଟେଲକୁ ସମର୍ଥନ କରୁଥିବାରୁ ସେ ଗୁଳି ଚଳାଇଥିବା ନେଇ ଆକ୍ରମଣକାରୀ ପୋଲିସକୁ କହିଛନ୍ତି।

Share