ସପ୍ତାହକରେ କିଡ୍‌ନୀ ରୋଗରେ ଗଲାଣି ୪ ଜୀବନ: ସ୍ବାସ୍ଥ୍ୟ ବିଭାଗ ପାଖରେ ଖବର ନାହିଁ

ଅମରପାଲି,୨୨ା୧୧(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅଞ୍ଚଳରେ ସପ୍ତାହକ ମଧ୍ୟରେ ୪ ଜୀବନ ନେଲାଣି କିଡ୍‌ନୀ ରୋଗ। ହେଲେ ଏନେଇ ପ୍ରଶାସନ ପାଖରେ କିନ୍ତୁ କୌଣସି ଖବର ନାହିଁ। ବହଳପଦର ପଞ୍ଚାୟତରେ ୨ଜଣ, ଦୁର୍ଜନତୈଲା ପଞ୍ଚାୟତରେ ଜଣେ ଓ କୋଟସମଲାଇ ପଞ୍ଚାୟତରେ ଜଣେ ଲେଖାଏ କିଡନୀ ରୋଗରେ ଆଖି ବୁଜିଲେଣି।
ଗତ ଶନିବାର ବହଳପଦର ପଞ୍ଚାୟତ ବଡ଼ମାଳ ଗ୍ରାମର ଯୁବଚାଷୀ ଅଶ୍ୱିନୀ ପ୍ରଧାନ(୩୮)ଙ୍କ କିଡ଼ନୀ ରୋଗରେ ମୃତ୍ୟୁ ଘଟିଥିଲା। ଚାଷ କରି ସେ ପରିବାର ଚଳାଉ ଥିଲେ। ସେହିପରି ରବିବାର ବହଳପଦର ପଞ୍ଚାୟତ କୁହିଦାଦର ଗ୍ରାମର ପ୍ରେମଭକ୍ତି ଭୋଇ(୩୬) ଏହି ରୋଗରେ ଆଖି ବୁଜିଥିଲେ। ସେ ଦୁଇ ବର୍ଷ ହେଲା କିଡନୀ ରୋଗରେ ଆକ୍ରାନ୍ତ ହୋଇ ସମ୍ବଲପୁର, ବୁର୍ଲା, କଟକ, ଭୁବନେଶର ଓ ବିଶାଖାପାଟଣାରେ ଚିକିତ୍ସିତ ହେଉଥିଲେ। ନାମ ମାତ୍ର ଚାଷୀ ପ୍ରେମଭକ୍ତିଙ୍କ ମୃତ୍ୟୁରେ ତାଙ୍କ ସ୍ତ୍ରୀ ଓ ମା’ ଏବେ ଅସହାୟ ହୋଇ ପଡିଛନ୍ତି। ଦୁର୍ଜନତୈଲା ପଞ୍ଚାୟତ ମାଳିଦାଦର ଗ୍ରାମର ଯୋଗିନ୍ଦ୍ର ଜଗଦଲା (୫୫)ଙ୍କ ଗତ ଗୁରୁବାର ରାତିରେ କିଡନୀ ରୋଗରେ ମୃତ୍ୟୁ ଘଟିଛି। ସେ ପ୍ରାୟ ୨ ବର୍ଷ ହେଲା କିଡ୍‌ନୀରେ ଆକ୍ରାନ୍ତ ଥିଲେ। ଡାକ୍ତର ତାଙ୍କୁ ଡାଇଲିସିସ କରିବାକୁ କହିଥିଲେ ମଧ୍ୟ ଟଙ୍କା ଅଭାବ ଯୋଗୁ ସେ ଅଧିକ ଚିକିତ୍ସା ହୋଇ ପାରି ନ ଥିଲେ। ତାଙ୍କ ପୁଅ ଦୁଇ ପୁଅ ଦାଦନ ଯାଇ ସେହି ଟଙ୍କାରେ ବାପାଙ୍କ ଚିକିତ୍ସା କରାଉଥିଲେ। ସେହିପରି କୋଟସମଲାଇ ପଞ୍ଚାୟତର ସର୍ବାଧିକ କିଡନୀ ପ୍ରଭାବିତ ସୁନାପାଲି ଗ୍ରାମରେ ଭରତ ଭୋଇ (୩୧)ଙ୍କ ଗତ ଗୁରୁବାର ରାତିରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଭରତ ପ୍ରାୟ ୬ ମାସ ହେଲା କିଡନୀ ଆକ୍ରାନ୍ତ ଥିଲେ। ସେ ଦିନ ମଜୁରି କରି ପରିବାର ଚଳାଉ ଥିଲେ। ୫ ମାସ ପୂର୍ବରୁ ତାଙ୍କ ମା’ ଜାହ୍ନବୀଙ୍କ କିଡନୀ ରୋଗରେ ମୃତ୍ୟୁ ହୋଇଥିବା ବେଳେ ବର୍ଷେ ମଧ୍ୟରେ ତାଙ୍କ କାକା ବିରଞ୍ଚି ଭୋଇ ଓ ବଡ଼ଭାଇ ଲୋକନାଥ ଭୋଇଙ୍କ ମଧ୍ୟ କିଡନୀ ରୋଗରେ ମୃତ୍ୟୁ ଘଟିଛି। ତେବେ ଅଞ୍ଚଳରେ କିଡନୀ ରୋଗରେ ଲୋକଙ୍କ ମୃତ୍ୟୁ ଘଟୁଥିଲେ ମଧ୍ୟ ବିଭାଗ ତରଫରୁ କୌଣସି ପଦକ୍ଷେପ ନିଆଯାଉ ନ ଥିବା ସ୍ବେଚ୍ଛାସେବୀ ଆଇନଜୀବୀ ଆଶ୍ରୟ ମହାନନ୍ଦ ଅଭିଯୋଗ କରିଛନ୍ତି। ସପ୍ତାହେ ମଧ୍ୟରେ ୪ ଜଣଙ୍କ ଜୀବନ କିଡନୀ ରୋଗରେ ଯାଇଥିଲେ ମଧ୍ୟ ତାଙ୍କ ପାଖରେ ଏନେଇ କୌଣସି ସୂଚନା ନ ଥିବା ପ୍ରକାଶ କରିଛନ୍ତି ସୁବର୍ଣ୍ଣପୁର ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼. ଉଷାରାଣୀ ଦାସ। ତେବେ ଏନେଇ ତଦନ୍ତ କରି ଯାହା କିଛି ହୋଇପାରିବ କରାଯିବ ବୋଲି କହିଛନ୍ତି। କିଡନୀ ରୋଗରେ ମୃତକଙ୍କୁ ସରକାରୀ ସହାୟତା ପ୍ରଦାନ କରିବାକୁ ସାଧାରଣରେ ଦାବି ହେଉଛି।

 

Dharitri – Odisha’s No.1 Odia Daily