Categories: Home Leftଖେଳ

ଦୃଷ୍ଟିବାଧିତ ଭାରତୀୟ ମହିଳା ଟି୨୦ ବିଶ୍ୱକପ୍‌ ଦଳରେ ଓଡ଼ିଶାରୁ ୪

ଭୁବନେଶ୍ୱର,୧୧ା୯: ଆସନ୍ତା ନଭେମ୍ବର ୧୧ରୁ ୨୫ ତାରିଖ ପର୍ଯ୍ୟନ୍ତ ହେବାକୁ ଯାଉଥିବା ଦୃଷ୍ଟିବାଧିତ ମହିଳା ଟି୨୦ ବିଶ୍ୱକପ୍‌ ପାଇଁ ଗୁରୁବାର ୧୬ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଦଳରେ ଓଡ଼ିଶାରୁ ୪ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ଯମୁନା ରାଣୀ ଟୁଡୁ, ବାସନ୍ତି ହାଂସଦା, ଫୁଲ ସୋରେନ ଓ ପାର୍ବତୀ ମାର୍ଣ୍ଡି।

ଏଥିରେ ଅଷ୍ଟ୍ରେଲିଆ, ଇଂଲଣ୍ଡ, ଭାରତ, ନେପାଳ, ପାକିସ୍ତାନ, ଶ୍ରୀଲଙ୍କା ଓ ଆମେରିକା ଦଳ ଅଂଶଗ୍ରହଣ କରିବେ। ଏହି ଟୁର୍ନାମେଣ୍ଟର ସମସ୍ତ ମ୍ୟାଚ୍‌ ନୂଆଦିଲ୍ଲୀ ଓ ବେଙ୍ଗାଲୁରୁରେ ଖେଳାଯିବ। ଟୁର୍ନାମେଣ୍ଟରେ ପାକିସ୍ତାନ ଖେଳିବାକୁ ଥିବାରୁ କାଠମାଣ୍ଡକୁ ତୃତୀୟ ଭେନ୍ୟୁ ଭାବେ ଚୟନ କରାଯାଇଥିଲା।

ହେଲେ ବର୍ତ୍ତମାନ ନେପାଳରେ ଦେଖାଦେଇଥିବା ପରିସ୍ଥିତି କାରଣରୁ ବିକଳ୍ପ ଭେନ୍ୟୁ ଖୋଜା ଯାଉଛି। ଏହି ବିଶ୍ୱକପ୍‌ରେ ୨୧ଟି ଲିଗ୍‌ ମ୍ୟାଚ୍‌ ସହିତ ୩ଟି ନକ୍‌ଆଉଟ୍‌ ମ୍ୟାଚ୍‌ ଖେଳାଯିବ। ସମଗ୍ର ଦେଶରେ କରାଯାଇଥିବା ଖେଳାଳିଙ୍କ ଖୋଜା ପ୍ରକ୍ରିୟାରେ ୫୬ ଜଣଙ୍କୁ ଚୟନ କରାଯାଇଥିଲା। କଠିନ ଟ୍ରେନିଂ ଓ ଚୟନ ଶିବିର ପରେ ସେମାନଙ୍କ ମଧ୍ୟରୁ ୧୬ ଜଣିଆ ଦଳ ଘୋଷଣା କରାଯାଇଛି।

ପୂର୍ବରୁ ୨୦୨୩ ଆଇବିଏସ୍‌ଏ ଓ୍ବାଲର୍‌ଡ ଗେମ୍ସରେ ଦୃଷ୍ଟି ବାଧିତ ମହିଳା ଗେମ୍ସ ପଦାର୍ପଣ କରିଥିବା ବେଳେ ଭାରତୀୟ ଦଳ ସ୍ବର୍ଣ୍ଣ ପଦକ ଜିତି ଦେଶକୁ ଗର୍ବିତ କରିଥିଲା। ବି୧ କ୍ୟାଟେଗୋରି: ସିମୁ ଦାସ, ପି କରୁଣା କୁମାରୀ, ଅନୁ କୁମାରୀ, ଯମୁନା ରାଣୀ ଟୁଡୁ, କାଭ୍ୟା ଭି। ବି୨ କ୍ୟାଟେଗୋରି: ଅନେଖା ଦେବୀ, ବାସନ୍ତି ହାଂସଦା, ସିମରନଜୀତ କୌର, ସୁନିତା ସରାଥେ, ପାର୍ବତୀ ମାର୍ଣ୍ଡି। ବି୩ କ୍ୟାଟେଗୋରି: ଦୀପିକା ଟି ସି (ଅଧିନାୟିକା), ଫୁଲ ସୋରେନ, ଗଙ୍ଗା ଏସ୍‌ କଦମ (ଉପ ଅଧିନାୟିକା), କାଭ୍ୟା ଏନ୍‌ ଆର, ସୁଷମା ପଟେଲ, ଦୁର୍ଗା ୟେଭଲେ। ଖେଳାଳିଙ୍କ ପୂର୍ବ ପ୍ରଦର୍ଶନ ଆଧାରରେ ଅଧିନାୟିକା ଓ ଉପଅଧିନାୟିକା ଚୟନ କରାଯାଇଛି।