ମଧୁବାବୁ ପେନ୍‌ସନ୍‌ ଯୋଜନାରେ ସାମିଲ ହେଲେ ୪.୧୩ ଲକ୍ଷ ଆବେଦନକାରୀ

ଭୁବନେଶ୍ବର, ୮ା୮(ସୁନିତ୍‌ ମିଶ୍ର): ମଧୁବାବୁ ପେନ୍‌ସନ୍‌ ଯୋଜନାରେ ଅଧିକ ୪ ଲକ୍ଷ ୧୩ ହଜାର ଆବେଦନକାରୀଙ୍କୁ ରାଜ୍ୟ ସରକାର ସାମିଲ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଆବେଦନଗୁଡ଼ିକୁ ସୋମବାର ମଞ୍ଜୁର ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମ୍‌ଓ)ର ଜିଲା ଗସ୍ତ ସମୟରେ ଆସିଥିବା ଅଭିଯୋଗ ଏବଂ ମୋ ସରକାରରୁ ଗ୍ରହଣ କରାଯାଇଥିବା ମତାମତକୁ ବିଚାର କରି ମୁଖ୍ୟମନ୍ତ୍ରୀ ଉକ୍ତ ଯୋଜନାରେ ଅଧିକ ବ୍ୟକ୍ତିଙ୍କୁ ସାମିଲ କରିବା ପାଇଁ ଏହି ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ୍‌ ଏବଂ ସିଏମ୍‌ଓର ଅନ୍ୟ ବରିଷ୍ଠ ଅଧିକାରୀ ବିଭିନ୍ନ ଜିଲା ଗସ୍ତ କରି ତୃଣମୂଳସ୍ତରରେ ବିକାଶ ପ୍ରକଳ୍ପଗୁଡ଼ିକର ସମୀକ୍ଷା କରିବା ସହ ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି। ସିଏମ୍‌ଓର ଏହି ପଦକ୍ଷେପ ସମସ୍ୟାର ତ୍ୱରିତ ସମାଧାନ ଦିଗରେ କାର୍ଯ୍ୟ କରୁଛି। ନୂଆ ଆବେଦନଗୁଡ଼ିକର ମଞ୍ଜୁରୀ ପରେ ମଧୁବାବୁ ପେନ୍‌ସନ୍‌ ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ୩୨.୭୫ ଲକ୍ଷକୁ ବୃଦ୍ଧି ପାଇଛି। ପୂର୍ବରୁ ଏହି ଯୋଜନାରେ ୨୮.୬୧ ଲକ୍ଷ ହିତାଧିକାରୀ ଉପକୃତ ହୋଇଛନ୍ତି। ଆସନ୍ତା ୧୫ ତାରିଖ ଜନସେବା ଦିବସରେ ପଞ୍ଚାୟତ ମୁଖ୍ୟାଳୟ ଏବଂ ୱାର୍ଡ କାର୍ଯ୍ୟାଳୟରେ ନିର୍ବାଚିତ ଜନପ୍ରତିନିଧିଙ୍କ ଉପସ୍ଥିତିରେ ନୂତନ ହିତାଧିକାରୀମାନେ ସେମାନଙ୍କ ପ୍ରଥମ ପେନସନ୍‌ ପାଇବେ। ସବୁଠାରେ ଶିବିର ଆୟୋଜନ କରି ହିତାଧିକାରୀଙ୍କ ପେନସନ୍‌ ବିତରଣକୁ ସୁଗମ କରିବା ପାଇଁ ଜିଲାପାଳଙ୍କୁ ପରାମର୍ଶ ଦିଆଯାଇଛି।
ଉଲ୍ଲେଖଯୋଗ୍ୟ, ମଧୁବାବୁ ପେନ୍‌ସନ୍‌ ଯୋଜନାରେ ବୟସ୍କ ବ୍ୟକ୍ତି, ବିଧବା, ଭିନ୍ନକ୍ଷମ ବ୍ୟକ୍ତି, ଅବିବାହିତ ମହିଳା, ଆରୋଗ୍ୟ ଲାଭ କରିଥିବା କୁଷ୍ଠରୋଗୀ, ଏଡ୍‌ସ ରୋଗୀ, ଛାଡ଼ପତ୍ରଧାରୀ, କିନ୍ନର, କୋଭିଡ୍‌ରେ ଅନାଥ ହୋଇଥିବା ପିଲା ଏବଂ ଅନ୍ୟ ସମ୍ବେଦନଶୀଳ ଲୋକ ଅନ୍ତର୍ଭୁକ୍ତ ଅଛନ୍ତି। ରାଜ୍ୟ ସରକାର ଏହି ଯୋଜନାରେ ୨୮ ଲକ୍ଷ ୬୧ ହଜାର ୧୯୫ ହିତାଧିକାରୀଙ୍କୁ ମାସିକ ୫୦୦, ୭୦୦ ଏବଂ ୯୦୦ ଟଙ୍କା ସାମାଜିକ ସୁରକ୍ଷା ଭତ୍ତା ଆକାରରେ ପ୍ରଦାନ କରୁଛନ୍ତି। ଏହି ଯୋଜନାରେ ୦-୭୯ ବର୍ଷ ମଧ୍ୟରେ ବିଭିନ୍ନ ବର୍ଗର ହିତାଧିକାରୀ ମାସିକ ୫୦୦ ଟଙ୍କା ପାଉଥିବାବେଳେ ୮୦ ବର୍ଷ ଏବଂ ତଦୂଦ୍ଧର୍‌ବ ହିତାଧିକାରୀଙ୍କୁ ମାସକୁ ୭୦୦ ଟଙ୍କା ଭତ୍ତା ପ୍ରଦାନ କରାଯାଉଛି। ଏଥିସହ ୪୦ରୁ ୫୯% ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ମାସିକ ୫୦୦ ଟଙ୍କା ଏବଂ ୬୦% ଓ ତାହାଠୁ ଅଧିକ ଭିନ୍ନକ୍ଷମଙ୍କୁ ୭୦୦ ଟଙ୍କା ଦିଆଯାଉଛି। ୬୦% ଏବଂ ଏହାଠୁ ଅଧିକ ଭିନ୍ନକ୍ଷମ ଥିବା ୮୦ ବର୍ଷ ଓ ତାହାଠୁ ଅଧିକ ବୟସର ବ୍ୟକ୍ତିଙ୍କୁ ମାସିକ ୯୦୦ ଟଙ୍କା ଦିଆଯାଉଛି। ଏହି ଯୋଜନାରେ ୪ ଲକ୍ଷ ୧୩ ହଜାର ନୂଆ ହିତାଧିକାରୀଙ୍କ ସାମିଲ ରାଜ୍ୟର ସାମାଜିକ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ସାହାଯ୍ୟ କରିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।