ଢେଙ୍କାନାଳ ଅଫିସ, ୨୫।୩: ଢେଙ୍କାନାଳରେ ଗତ ଅଢ଼େଇ ମାସରେ ସଡ଼କ ଦୁର୍ଘଟଣାରେ ୩୮ ଜୀବନ ଗଲାଣି। ଜାତୀୟ ରାଜପଥ ସମ୍ପ୍ରସାରଣରେ ଅହେତୁକ ବିଳମ୍ବ, ବେପରୁଆ ଗାଡ଼ିଚାଳନା ଏହାର ପ୍ରମୁଖ କାରଣ ବୋଲି କୁହାଯାଉଛି। ଏହାକୁ ରୋକିବା ଲାଗି ଜିଲାପାଳ ସରୋଜ କୁମାର ସେଠୀଙ୍କ ନିର୍ଦ୍ଦେଶରେ ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ପଞ୍ଚୁପଟି ବ୍ରିଜ୍ ନିକଟରେ ମାସିକିଆ ଜିଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବ୍ରିଜ୍ ନିକଟରେ କିଛିଦିନ ତଳେ ଏକ ବସ୍ ଓଲଟି ୨ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା। ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଜିଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ପରିବର୍ତ୍ତେ ଉକ୍ତ ସ୍ଥାନରେ ବୈଠକର ଆୟୋଜନ କରାଯାଇଥିଲା। ତେବେ ସମୀକ୍ଷାରୁ ଜିଲାରେ ଦୁର୍ଘଟଣାର ଯେଉଁ ଉଦ୍ବେଗଜନକ ଚିତ୍ର ପଦାକୁ ଆସିଛି, ତାହା ଯେତିକି ଦୁଃଖଦ ସେତିକି ଚିନ୍ତାଜନକ ବୋଲି ଜିଲାପାଳ କହିଛନ୍ତି।
ସୁପ୍ରିମକୋର୍ଟ ଏବଂ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଆସନ୍ତା ଏପ୍ରିଲ ୧ରୁ ୧୦ ଯାଏ ସ୍ବତନ୍ତ୍ର ଅଭିଯାନ ଆରମ୍ଭ ହେଉଛି। ଏହି ସମୟରେ ସଡ଼କ ଦୁର୍ଘଟଣାରେ ଯେପରି କେହି ମୃତାହତ ନ ହୁଅନ୍ତି ସେଥିଲାଗି ଆବଶ୍ୟକ ପଦକ୍ଷେପ ନେବାକୁ ଜିଲାପାଳ ଗୁରୁତ୍ୱାରୋପ କରିଛନ୍ତି। ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିବା, ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଶିକ୍ଷାନୁଷ୍ଠାନ ନିକଟରେ ସାଇନେଜ୍ ଲଗାଇବା, ଦୁର୍ଘଟଣାପ୍ରବଣ ସ୍ଥଳରେ ଯାତ୍ରୀ ଓ ଗାଡ଼ିଚାଳକଙ୍କୁ ସଚେତନ କରିବା ଦିଗରେ ପଦକ୍ଷେପ ନେବାକୁ ଜିଲାପାଳ ଏନ୍ଏଚ୍ଏଆଇ, ଆରଟିଓ ଓ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅବସରରେ ରାସ୍ତାରେ ଯାଉଥିବା ଗାଡ଼ି ଚାଳକଙ୍କୁ ଗୋଲାପ ଫୁଲ ଦେଇ ସୁରକ୍ଷିତ ଭାବେ ଯାତ୍ରା କରିବା ପାଇଁ ପରାମର୍ଶ ଦିଆଯାଇଥିଲା। ଟ୍ରାଫିକ ନିୟମ ମାନିବା, ସୁରକ୍ଷା ଉପକରଣ ବ୍ୟବହାର କରିବା, ମଦ୍ୟପାନ କରି ଗାଡ଼ି ନ ଚଳାଇବା ପାଇଁ ସେମାନଙ୍କୁ ସଚେତନ କରାଯାଇଥିଲା।
ପୂର୍ତ୍ତ ବିଭାଗ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଅଶୋକ କୁମାର ଗିରିଙ୍କ ଆବାହକତ୍ୱରେ ଅନୁଷ୍ଠିତ ବୈଠକରେ ଅତିରିକ୍ତ ଏସ୍ପି ପୁରୁଷୋତ୍ତମ ସେଠୀ ଯୋଗଦେଇ ନିଶାସେବନ କରି ଗାଡ଼ି ଚଳାଇଲେ ଜେଲଦଣ୍ଡ ହେବ ବୋଲି ସତର୍କ କରାଇଥିଲେ। ଆରଟିଓ ପ୍ରଣୟ ମିଶ୍ର, ଜିଲା ସଡ଼କ ସୁରକ୍ଷା କମିଟି ସଭ୍ୟ ବିରଞ୍ଚତ୍ ନାରାୟଣ ପାଣି, ପ୍ରଦ୍ୟୁମ୍ନ ରଥ, ଜିଲା ସାମ୍ବାଦିକ ସଂଘ ସମ୍ପାଦକ ସତ୍ୟସ୍ବରୂପ ଦାସ, ଉପସଭାପତି ଅଥୟ କୁମାର ସାହୁ, ସଦର ଏସ୍ଡିପିଓ ସୂର୍ଯ୍ୟମଣି ପ୍ରଧାନ, ଏମ୍ଭିଆଇ ଦେବାଶିଷ ସ୍ବାଇଁଙ୍କ ସମେତ ଏନ୍ଏଚ୍ଏଆଇ, ପୂର୍ତ୍ତ ବିଭାଗ ଏବଂ ପୋଲିସ ପ୍ରଶାସନର ପଦସ୍ଥ ଅଧିକାରୀ ଉପସ୍ଥିତ ଥିଲେ।