୩୬ ଡିଜିଟ୍‌ର ବ୍ୟାଙ୍କ ବାଲାନ୍ସ

ହାଥ୍‌ରସ୍‌: ଗତ ମାସରେ ଉତ୍ତରପ୍ରଦେଶର ହାଥ୍‌ରସ୍‌ ଜିଲାର ଏକ ଦୂରବର୍ତ୍ତୀ ଗ୍ରାମରେ ରହୁଥିବା ଅଜିତ ନାମକ ଜଣେ ବ୍ୟକ୍ତି ନିଜ ବ୍ୟାଙ୍କ ବାଲାନ୍ସ ଚେକ୍‌ କରି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ସେ ତାଙ୍କ ବ୍ୟାଙ୍କ ବାଲାନ୍ସରେ ୩୬ ଡିଜିଟ୍‌ର ସଂଖ୍ୟା ଦେଖିବାକୁ ପାଇଥିଲେ। ଅଜିତ କହିଛନ୍ତି, ଗତ ମାସ ୨୫ ତାରିଖରେ ସେ ତାଙ୍କ ଘରର କିଛି କାର୍ଯ୍ୟ ପାଇଁ ୧,୮୦୦ ଟଙ୍କା ଏବଂ ୧,୪୦୦ ଟଙ୍କା ନିଜ ବ୍ୟାଙ୍କ ଆକାଉଣ୍ଟରୁ ଖର୍ଚ୍ଚ କରିଥିଲେ। ଏହାପରେ ସେ ତାଙ୍କ ବ୍ୟାଙ୍କ ବ୍ୟାଲାନ୍ସ ଚେକ୍‌ କରିଥିଲେ। ବ୍ୟାଙ୍କ ବାଲାନ୍ସରେ ଭାରତୀୟ ଟଙ୍କାର ଚିହ୍ନ ସହ ଏକ ୩୬ ଡିଜିଟ୍‌ର ସଂଖ୍ୟା ସେ ଦେଖିବାକୁ ପାଇଥିଲେ। ଏହା ତାଙ୍କ ହୋସ୍‌ ଉଡ଼ାଇ ଦେଇଥିବା ଅଜିତ କହିଛନ୍ତି। ଘଟଣା ସମ୍ପର୍କରେ ସେ ପ୍ରଥମେ ତାଙ୍କ ପରିବାରକୁ ଜଣାଇଥିଲେ। ଅଜିତଙ୍କ ବ୍ୟାଙ୍କ ବାଲାନ୍ସ ଏତେ ସଂଖ୍ୟାରେ ବୃଦ୍ଧି ପାଇଥିବା ଜାଣି ପ୍ରଥମେ ତାଙ୍କ ସ୍ତ୍ରୀ ଏବଂ ପୂରା ପରିବାର ଖୁସି ହୋଇଯାଇଥିଲେ। ତେବେ ସାଇବର ଠକମାନେ ଅଜିତଙ୍କ ଆକାଉଣ୍ଟକୁ ଟାର୍ଗେଟ କରିଥାଇପାରନ୍ତି ବୋଲି ସନ୍ଦେହ କରି ସେମାନେ ପରେ ଚିନ୍ତାରେ ପଡ଼ିଥିଲେ। ଘଟଣାକୁ ନେଇ ଅଜିତ ବ୍ୟାଙ୍କ୍‌ ସହ ଯୋଗାଯୋଗ କରିଥିଲେ। ବୈଷୟିକ ତ୍ରୁଟି ଯୋଗୁ ଏପରି ହୋଇଥିବା ନେଇ ବ୍ୟାଙ୍କ ପକ୍ଷରୁ କୁହାଯାଇଥିଲା। ତେବେ ବ୍ୟାଙ୍କ ଅଜିତଙ୍କ ଏହି ସମସ୍ୟାକୁ ତୁରନ୍ତ ସମାଧାନ କରିବାରେ ବିଫଳ ହୋଇଥିଲା। ତେଣୁ ଅଜିତ ଘଟଣା ସମ୍ପର୍କରେ ପୋଲିସକୁ ଜଣାଇଥିଲେ। ପୋଲିସ ପରାମର୍ଶରେ ସେ ଉତ୍ତରପ୍ରଦେଶ ସାଇବର କ୍ରାଇମ ଡିଭିଜନକୁ ଘଟଣା ସମ୍ପର୍କରେ ଏକ ପତ୍ର ଲେଖିଥିଲେ। ୟୁପି ସାଇବର କ୍ରାଇମ ଡିଭିଜନ ସମ୍ପ୍ରତି ଏହି ଘଟଣାର ତଦନ୍ତ କରୁଥିବା ସହ ଅଜିତଙ୍କ ବ୍ୟାଙ୍କ୍‌ ଆକାଉଣ୍ଟକୁ ସାମୟିକ ଭାବେ ଫ୍ରିଜ୍‌ କରିଥିବା ନେଇ ରିପୋର୍ଟରେ କୁହାଯାଇଛି। ପ୍ରକାଶ ଯେ, ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କଙ୍କର ସମୁଦାୟ ସମ୍ପତ୍ତି ୧୪ ଡିଜିଟ୍‌ର ହୋଇଥିବାବେଳେ ୩୬ ଡିଜିଟ୍‌ ବ୍ୟାଙ୍କ ବାଲାନ୍ସ ସହ ଅଜିତ କିଛି ସମୟ ପାଇଁ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ହୋଇଯାଇଥିଲେ ବୋଲି କହି ସୋସିଆଲ ମିଡିଆରେ କେତେଜଣ ୟୁଜର୍ସ ବିଭିନ୍ନ ମଜାଳିଆ ପୋଷ୍ଟ କରୁଛନ୍ତି।