ନୂଆଦିଲ୍ଲୀ,୨୮ା୧୦: ଅରୁଣାଚଳରେ ଥିବା ଭାରତ-ଚାଇନା ସୀମା ମାକ୍ମୋହନ ଲାଇନଠାରୁ ଉତ୍ତରରେ ପ୍ରାୟ ୪୦ କିଲୋମିଟର ଦୂରରେ ଚାଇନା ଯୁଦ୍ଧବିମାନ ରଖିବା ପାଇଁ ୩୬ଟି ଶକ୍ତିଶାଳୀ ଏୟାରକ୍ରାଫ୍ଟ ସେଲ୍ଟର ନିର୍ମାଣ ସମ୍ପୂର୍ଣ୍ଣ କରିଛି। ଏହି ଘଟଣା ଜଣାପଡ଼ିବା ପରେ ଭାରତର ଚିନ୍ତା ବଢ଼ିଯାଇଛି। ତିବ୍ବତର ଲୁଞ୍ଜେଠାରେ ଏହି ନୂଆ ସେଲ୍ଟର ନିର୍ମାଣ ହେଉଛି, ଯାହାକି ଅରୁଣାଚଳ ପ୍ରଦେଶର ତାଓ୍ବାଙ୍ଗ ସହରଠାରୁ ପ୍ରାୟ ୧୦୭ କିଲୋମିଟର ଦୂରରେ ଅବସ୍ଥିତ। ଚାଇନା ସେଠାରେ ଲଢ଼ୁଆ ବିମାନ ଏବଂ ଡ୍ରୋନ୍ ସିଷ୍ଟମ ରଖିବା ସହ ଆବଶ୍ୟକ ସ୍ଥଳେ ତୁରନ୍ତ ଏହାକୁ ସୀମାରେ ନିୟୋଜିତ କରିପାରିବ। ଭାରତୀୟ ଆସାମ କିମ୍ବା ଅରୁଣାଚଳପ୍ରଦେଶରେ ଥିବା ଭାରତୀୟ ବାୟୁସେନାର ନିଜସ୍ବ ଏୟାରବେସ୍ରୁ ଯୁଦ୍ଧବିମାନ କୌଣସି ଆକ୍ରମଣର ମୁକାବିଲା କରିବା ପାଇଁ ଯେତିକି ସମୟ ଆବଶ୍ୟକ କରିବ, ତା’ଠାରୁ ଯଥେଷ୍ଟ କମ୍ ସମୟ ମଧ୍ୟରେ ଚାଇନା ସେନା ଜବାବ ଦେଇପାରିବ। ଗତ ୧୭ ତାରିଖରେ ଲୁଞ୍ଜେ ଏୟାରବେସ୍ରୁ ନିଆଯାଇଥିବା ସାଟେଲାଇଟ୍ ଚିତ୍ରରୁ ୩୬ଟି ଏୟାରକ୍ରାଫ୍ଟ ସେଲ୍ଟର ସମ୍ପୂର୍ଣ୍ଣ ହୋଇଥିବା ସ୍ପଷ୍ଟ ଦେଖିବାକୁ ମିଳିଛି। ଗତ ଏପ୍ରିଲରେ ସେଠାରେ ନିର୍ମାଣ ପାଇଁ ମାଟିକାମ ଚାଲିଥିବା ଦେଖିବାକୁ ମିଳଥିତ୍ଲା।
ସୀମାର ଖୁବ୍ ନିକଟରେ ବେଜିଂ ଯୁଦ୍ଧବିମାନ ଆଶ୍ରୟସ୍ଥଳ ନିର୍ମାଣ କରିଥିବାରୁ ପରବର୍ତ୍ତୀ ସାମରିକ ଘଟଣାରେ ସେମାନଙ୍କ ଲଢ଼ୁଅ ବିମାନ ଓ ଆକ୍ରମଣକାରୀ ହେଲିକପ୍ଟର ଲୁଞ୍ଜେ ଏୟାରବେସ୍ରୁ ସେମାନଙ୍କ ସେନାକୁ ସହାୟତା କରିବ ବୋଲି ଅବସରପ୍ରାପ୍ତ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ବି.ଏସ୍. ଧନୋଆ କହିଛନ୍ତି। ଉକ୍ତ ଅଞ୍ଚଳରେ ଥିବା ଭୂତଳ ସୁଡ଼ଙ୍ଗଗୁଡ଼ିକରେ ଗୁଳିଗୋଳା ଏବଂ ଇନ୍ଧନ ଗଚ୍ଛିତ ରହିଥିବା ସେ କହିଛନ୍ତି। ୨୦୧୭ ଡୋକଲାମ ଘଟଣା ବେଳେ ଧନୋଆ ତାଙ୍କ କର୍ମଚାରୀମାନଙ୍କୁ କହିଥିଲେ, ତିବ୍ବତରେ ଚାଇନା ବାୟୁସେନା (ପିପୁଲ୍ସ ଲିବରେଶନ ଆର୍ମି ଏୟାରଫୋର୍ସ) ପାଇଁ ଯୁଦ୍ଧବିମାନ ସମସ୍ୟା ନୁହେଁ, ବରଂ ଏହାକୁ ମୁତୟନ କରିବା ସମସ୍ୟା। ସେମାନେ ତିବ୍ବତ ଏୟାରଫିଲ୍ଡରେ ଯେତେବେଳେ ସଶକ୍ତ ଏୟାରକ୍ରାଫ୍ଟ ସେଲ୍ଟର ନିର୍ମାଣ ଆରମ୍ଭ କରିବେ, ସେମାନେ ଆମ ସହ ଯୁଦ୍ଧ କରିବାକୁ ପ୍ରସ୍ତୁତ ହେବେ। ତିବ୍ଦତରେ ସେମାନଙ୍କର ମୁଖ୍ୟ ଦୁର୍ବଳତା ଦୂର ହୋଇଯିବ ବୋଲି ସେତେବେଳେ ଧନୋଆ କହିଥିଲେ। ଭାରତୀୟ ବାୟୁସେନାର ପୂର୍ବତନ ଉପମୁଖ୍ୟ ଏୟାର ମାର୍ଶାଲ ଅନିଲ ଖୋସ୍ଲା କହିଛନ୍ତି, ଉପରୋକ୍ତ ଏୟାରଫିଲ୍ଡଗୁଡ଼ିକର ନିର୍ମାଣ ଓ ଉନ୍ନତୀକରଣ ଚାଇନାର ଭବିଷ୍ୟତ ଯୁଦ୍ଧ ଯୋଜନା ପାଇଁ ସହାୟକ ହେବ। ଏହା ଭାରତ ପାଇଁ ଗମ୍ଭୀର ରଣନୈତିକ ବିପଦ। ୨୦୨୦ର ଗଲଓ୍ବାନ ସଂଘର୍ଷଠାରୁ ଚାଇନା ସେନା ଏହାର ସାମର୍ଥ୍ୟ ଓ ଭିତ୍ତିଭୂମି ଢାଞ୍ଚା ବଢ଼ାଇ ଚାଲିଛି। ଲୁଞ୍ଜେ ଏୟାରବେସ୍ର ଉନ୍ନତୀକରଣ ଆଞ୍ଚଳିକ ସୁରକ୍ଷା ବିଶେଷ କରି ୨୦୨୦ରୁ ଲାଗିରହିଥିବା ଭାରତ-ଚାଇନା ସୀମାର ମୁହାଁମୁହିଁ ଅବସ୍ଥା ପରିପ୍ରେକ୍ଷୀରେ ଆଞ୍ଚଳିକ ସୁରକ୍ଷା ପାଇଁ ବିପଦ ସୃଷ୍ଟି କରିବ ବୋଲି ଖୋସ୍ଲା କହିଛନ୍ତି।
Dharitri – Odisha’s No.1 Odia Daily