ଦିଗପହଣ୍ଡି,୧୩|୧(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ମଙ୍ଗଳବାର ମହୁରୀ କାଳୁଆ ନିକଟ କୁମ୍ଭଝରି ଗ୍ରାମର ପ୍ରଭାକର ମଲ୍ଲିକଙ୍କୁ ଗିରଫ କରି ବ୍ରହ୍ମପୁର ଏସଡିଜେଏମ କୋର୍ଟକୁ ଚାଲାଣ କରିଛନ୍ତି। ତାଙ୍କ ନିକଟରୁ ୨୫ ଲିଟର ଦେଶୀମଦ ଜବତ କରାଯାଇଛି। ଥାନା ମାମଲା ନଂ.୧୬/୨୬ ଅନୁଯାୟୀ ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଛି।ସୋମବାର ମହୁରୀକାଳୁଆ ନିକଟ ଜନଜାତି ବହୁଳ ଗାଁ ମାନଙ୍କରେ ବ୍ରହ୍ମପୁର ଅବକାରୀ ବିଭାଗ ଏବଂ ଦିଗପହଣ୍ଡି ପୋଲିସ ପକ୍ଷରୁ ମିଳିତ ଚଢାଉ ଧରପଗଡ କରାଯାଇଥିଲା। କୁମ୍ଭଝରି ଗ୍ରାମର ପ୍ରଭାକର ବେଆଇନ ଭାବେ ଗାଁ ରେ ଦେଶୀମଦ ବିକ୍ରୀ କରିବା ସହ ଚୋରା ଚାଲାଣ କରୁଥିବା ଖବରପାଇ ତାଙ୍କୁ ଗିରଫ କରାଯିବା ସହ ତାଙ୍କ ନିକଟରୁ ମଦ ଜବତ କରାଯାଇଥିଲା। ଏନେଇ ଥାନା ଏଏସଆଇ ମନୋଜ ସିଂ ଏତଲା ଦେବାପରେ ଭାରପ୍ରାପ୍ତ ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ଅଭିଯୁକ୍ତ ଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଥିଲେ।ତଦନ୍ତକାରୀ ଅଧିକାରୀ ଏଏସଆଇ କହ୍ନେଇ ମିର୍ଦ୍ଧା ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।
ସେହିପରି ଦିଗପହଣ୍ଡି ଅବକାରୀ ଥାନା ଭାରପ୍ରାପ୍ତ ଓଆଇସି ଏନ୍. ତ୍ରିପତି କେ.ନୂଆଗାଁ ଥାନା ପୋଡ଼ାଖାଲ ଗ୍ରାମର କୈଳାସ ମଲ୍ଲିକ ଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛନ୍ତି।ଅବକାରୀ କର୍ମଚାରୀ ବୃନ୍ଦ ସୋମବାର ସନ୍ଧ୍ୟା ପ୍ରାୟ ୫ ଟାରେ ଖମାରି ଗାଁ,ଗଡସାମନ୍ତରାପୁର ସମେତ ଆଖପାଖ ଇଲାକାରେ ପାଟ୍ରୋଲିଂ କରୁଥିବା ବେଳେ କୈଳାସ ତାଙ୍କ ଗାଁ ରାସ୍ତାରେ ଏକ ପ୍ଲାଷ୍ଟିକ ଜାରକିନ୍ ଧରି ଯାଉଥିଲେ।ଅବକାରୀ କର୍ମଚାରୀ ବୃନ୍ଦ ତାଙ୍କୁ ରାସ୍ତାରେ ଅଟକାଇ ଖାନତଲାସ କରିବାରୁ ଜାରକିନ୍ ରେ ୧୦ ଲିଟର ଦେଶୀମଦ ଥିବା ଜଣାପଡିଥିଲା।ତାଙ୍କୁ ମଦ ସହ ଉଠାଇ ଆଣି ଅବକାରୀ ଥାନାରେ ରଖାଯାଇଥିଲା।ତାଙ୍କୁ ପଚରା ଉଚୁରା କରିବାରୁ ସେ ଗାଁ ରେ ବେଆଇନ ଭାବେ ଦେଶୀମଦ ବିକ୍ରୀ କରୁଥିବା ସ୍ବୀକାର କରିଥିଲେ।ତାଙ୍କ ବିରୋଧରେ ଅବକାରୀ ମାମଲା ନଂ.୧୮୭/୨୫-୨୬ ଅନୁଯାୟୀ ମକଦ୍ଦମା ରୁଜୁ କରାଯାଇଥିଲା।