National
ଚଣ୍ଡିଗଡ଼,୧୩।୮: କରୋନା ମହାମାରୀର ଦ୍ୱିତୀୟ ଲହର ପ୍ରକୋପ ହ୍ରାସ ପାଇବା ପରେ ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଅନେକ ରାଜ୍ୟରେ ବର୍ତ୍ତମାନ ସ୍କୁଲ ଖୋଲାଯାଇଛି। ତେବେ ସ୍କୁଲ ଖୋଲିବା ମାତ୍ରେ ଛୋଟ ପିଲାଙ୍କ ମଧ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। କର୍ନାଟକ, ହରିଆଣା ଓ ହିମାଚଳ ପ୍ରଦେଶର ସ୍କୁଲଗୁଡ଼ିକରେ କେତେକ ପିଲା କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଇତିମଧ୍ୟରେ ପଞ୍ଜାବରେ ସ୍କୁଲ ଖୋଲିବା ମାତ୍ରେ ୩୩ଜଣ ପିଲା କରୋନା ପଜିଟିଭ୍ ହୋଇଛନ୍ତି। ସୂଚନା ମୁତାବକ ରାଜ୍ୟରେ ଦୈନିକ ସଂକ୍ରମଣ ମାମଲା ହ୍ରାସ ପାଇବା ପରେ ରାଜ୍ୟ ସରକାର ପୁଣି ଥରେ ଅଗଷ୍ଟ ୨ରୁ ଅଫ୍ଲାଇନ୍ ପାଠପଢ଼ା ପାଇଁ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଥିଲେ। ଏଥିସହ ରାଜ୍ୟ ସରକାର ସ୍କୁଲଗୁଡ଼ିକରେ କରୋନା ପରୀକ୍ଷା ମଧ୍ୟ ଆରମ୍ଭ କରିଥିଲେ। ତେବେ ଏହି ଯାଞ୍ଚ ସମୟରେ ପଞ୍ଜାବରେ ୩୩ଜଣ ପିଲା କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ଏପର୍ଯ୍ୟନ୍ତ ସ୍କୁଲଗୁଡ଼ିକରେ ୨୧,୨୦୦ରୁ ଅଧିକ କରୋନା ଟେଷ୍ଟ କରାଯାଇଛି। ସେଥିମଧ୍ୟରୁ ୩୩ କରୋନା ପଜିଟିଭ୍ ବାହାରିଛନ୍ତି ବୋଲି ପଞ୍ଜାବ ସ୍ବାସ୍ଥ୍ୟମନ୍ତ୍ରୀ ବଲବୀର ସିଂହ ସିଦ୍ଧୁ ସୂଚନା ଦେଇଛନ୍ତି।