ହିମାଚଳରେ ବାଦଲ ଫାଟିବାରୁ ହାହାକାର, ବନ୍ୟା-ଭୂସ୍ଖଳନରେ ୩୧ ମୃତ

ଶିମଲା,୧୮।୮: ହିମାଚଳ ପ୍ରଦେଶରେ ଚାଲିଥିବା ମୌସୁମୀ ଋତୁରେ ଜୁନ ୨୭ରୁ ଅଗଷ୍ଟ ୧୬ମଧ୍ୟରେ କ୍ଲାଉଡ ବ୍ରଷ୍ଟ ବା ବାଦଲ ଫାଟିବାରୁ ଏବଂ ଫ୍ଲାସ ଫ୍ଲଡ ବା ଅଚାନକ ବନ୍ୟା ପରିସ୍ଥିତିରେ ୫୧ ଘଟଣାରେ ୩୧ ଜଣଙ୍କର ମୃତ୍ୟୁ ଘଟିଛି। ରାଜ୍ୟ ଜରୁରୀକାଳୀନ ଅପରେସନ ସେଣ୍ଟର ଦ୍ୱାରା ଏହି ସୂଚନା ଦିଆଯାଇଛି।
ରାଜ୍ୟ ଜରୁରୀକାଳୀନ ସଞ୍ଚାଳନ କେନ୍ଦ୍ର କହିଛି ଯେ ଜୁନ ୨୭ରୁ ଅଗଷ୍ଟ ୧୬ମଧ୍ୟରେ ହିମାଚଳ ପ୍ରଦେଶରେ କ୍ଲାଉଡ ବ୍ରଷ୍ଟ ଏବଂ ଫ୍ଲାସ ଫ୍ଲଡ ପରିସ୍ଥିତିରେ ୩୧ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୩ଜଣ ନିଖୋଜ ହୋଇଯାଇଛନ୍ତି।
ରାଜ୍ୟରେ ଲାହୁଲ ଏବଂ ସ୍ପିଟି ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ବନ୍ୟା ଏବଂ ବାଦଲ ଫାଟିବା ସହ ଜଡିତ ୨୨ଟି ଘଟଣା ଏଠାରେ ରେକର୍ଡ କରାଯାଇଛି, ଯାହା ରାଜ୍ୟରେ ସର୍ବାଧିକ। ଏହା ପରେ କିନ୍ନୋର ଠାରେ ୧୧ ଟି, ଉନାରେ ୬ଟି, କୁଲୁ ଏବଂ ମଣ୍ଡିରେ ତିନୋଟି ଲେଖାଏ, ସିରମୋଉରରେ ଦୁଇଟି ଏବଂ ଚାମ୍ବା, ହମିରପୁର, ଶିମଲା ଏବଂ ସୋଲାନ ଜିଲାରେ ଗୋଟିଏ ଗୋଟିଏ ଘଟଣା ଘଟିଛି।