ସମ୍ବଲପୁର,୨୬ା୮(ପ୍ରମୋଦ ବହିଦାର): ସମ୍ବଲପୁର ବିଶ୍ୱବିଦ୍ୟାଳୟ ଜ୍ୟୋତିବିହାର ନିକଟସ୍ଥ ସୁଇଟ ଅନୁଷ୍ଠାନର ପଛପାଶର୍ବରେ ବୁର୍ଲାଥାନା ପୋଲିସ ଚଢାଉ କରି ବିପୁଳ ପରିମାଣରେ ନିଶା କଫସିରପ୍ ଜବତ କରିଛି। ପୋଲିସ ଘଟଣାରେ ସମ୍ପୃକ୍ତ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ବୁର୍ଲାଥାନା ଅନ୍ତର୍ଗତ ବୁର୍ଲା ତଳପଡ଼ାର ଆକାଶ ସାମଲ(୨୬) ଏବଂ ସୁବର୍ଣ୍ଣପୁର ଜିଲା ବିନିକା ଥାନା ଅଧୀନ ସିଂଘିଯୁବାର ସୁକଦେବ ଦୀପ(୨୧)।
ପୋଲିସ ସେମାନଙ୍କ ନିକଟରୁ ୩ ହଜାର ବୋତଲ କଫସିରପ, ଗୋଟିଏ ମ୍ୟାକ୍ସ ପିକଅପ୍ ଭ୍ୟାନ(ଓଡି-୧୭-ଏସି-୮୪୨୧), ୨ଟି ମୋବାଇଲ ଫୋନ ଏବଂ ନଗଦ ୧ଲକ୍ଷ ୧୨ ହଜାର ଟଙ୍କା ଜବତ କରିଛି।
ପୋଲିସ ସୂଚନା ମୁତାବକ, ମଙ୍ଗଳବାର ଭୋରରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ସୁଇଟ ପଛପାର୍ଶ୍ୱରେ ଥିବା ଖୋଲା ପଡ଼ିଆରେ କଫସିରପ କାରବାର ହେଉଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା। ଖବର ପାଇ ପୋଲିସ ଏସ୍ଆଇ ଏସ୍କେ ନାଏକଙ୍କ ନେତୃତ୍ୱରେ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସନ୍ଦିଗ୍ଧ ଅବସ୍ଥାରେ ଛିଡ଼ା ହୋଇଥିବା ଏକ ପିକଅପ୍ ଭ୍ୟାନକୁ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ଭ୍ୟାନ୍ରେ ନିଶା କଫସିରପ ବୋଝେଇ ହୋଇଥିବା ଦେଖିବାକୁ ମିଳିଥିଲା।
ଏପରିକି ଗାଡିରେ ଉପସ୍ଥିତ ଥିବା ଅଭିଯୁକ୍ତ ଦ୍ବୟଙ୍କୁ ପୋଲିସ ଟିମ୍ ଧରିବା ସହ କାଗଜପତ୍ର ମାଗିଥିଲେ। ହେଲେ ସେମାନେ କୌଣସି କାଗଜପତ୍ର ଦେଇପାରି ନ ଥିଲେ। ପରେ ପୋଲିସ ଟିମ୍ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ନିଶା କଫସିରପ ଜବତ କରିବା ସହ ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରି ଥାନାକୁ ଆଣିଥିଲେ। ଏନେଇ ବୁର୍ଲା ଥାନାରେ ଏକ ମାମଲା(ନଂ.୩୭୧/୨୦୨୫) ରୁଜୁ କରି ପୋଲିସ ମଙ୍ଗଳବାର ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଛି। କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ଗିରଫ ଅଭିଯୁକ୍ତ ଦ୍ୱୟଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି।