ଛତ୍ରପୁର,୨୬ା୮(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ଗଞ୍ଜାମ ଜ଼ିଲା ଛତ୍ରପୁର ଓ ଗଞ୍ଜାମ ବ୍ଲକ ଅଞ୍ଚଳରେ ମଙ୍ଗଳବାର ବଜ୍ରପାତରେ ନଣନ୍ଦ, ଭାଉଜଙ୍କ ସମେତ ୩ ମହିଳାଙ୍କ ମୃତ୍ୟୁ ଘଟିଛି। ସେମାନେ ବିଲରେ କାମ କରୁଥିବା ବେଳେ ଏହି ଅଭାବନୀୟ ଘଟଣା ଘଟିଛି।
ଛତ୍ରପୁର ବ୍ଲକ ପୋଟଲାମପୁର ପଞ୍ଚାୟତ ସରଭୀମପୁର ଗ୍ରାମ ନିକଟ ଚାଷଜମିରେ ଧାନତଳି ରୁଆ ଚାଲିଥିବା ବେଳେ ହଠାତ୍ ବର୍ଷା ଓ ବଜ୍ରପାତ ହୋଇଥିଲା। ବଜ୍ରପାତରେ ସେଠାରେ କାମ କରୁଥିବା ମର୍ଦରାଜ ଗୌଡ଼ଙ୍କ ସ୍ତ୍ରୀ ପୁନି ଗୌଡ଼ (୫୧) ଓ ଭଉଣୀ ନିରୁପମା ଗୌଡ଼ (୪୬) ଟଳି ପଡ଼ିଥିଲେ। ଉଭୟଙ୍କୁ ବିପୁଳିଙ୍ଗି ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଛନ୍ତି। ଛତ୍ରପୁର ପୋଲିସ ଓ ସ୍ଥାନୀୟ ଆର୍ଆଇ ମେଡିକାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସେହିପରି ଗଞ୍ଜାମ ବ୍ଲକ ରାଉଳିବନ୍ଧ ଗାଁରେ ଚାଷଜମିରେ ବଜ୍ରପାତ ହେବାରୁ ମିନି ଗୌଡ଼ (୪୭)ଙ୍କ ମୃତ୍ୟୁ ଘଟିଛି। ଗଞ୍ଜାମ ଥାନା ପୋଲିସ ଏବଂ ମଲାଡ଼ ଆର୍ଆଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ୩ ମୃତଦେହ ବ୍ୟବଚ୍ଛେଦ କରାଯାଇଛି। ଏହି ଖବର ଶୁଣି ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଛତ୍ରପୁର ହସ୍ପିଟାଲରେ ପହଞ୍ଚି ମୃତା ମହିଳାମାନଙ୍କ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇଛନ୍ତି।