Categories: ଅନୁଗୋଳ

୩ ବିଶ୍ରାମାଗାରର ଉନ୍ନତୀକରଣ ହେଉନି

ବଅଁରପାଳ,୨୫।୫(ଡି.ଏନ.ଏ) ବଅଁରପାଳ ବଜାରରେ ଥିବା ୩ଟି ବିଶ୍ରାମାଗାର ଭଗ୍ନ ଅବସ୍ଥାରେ ରହିଛି। ଏହାକୁ ମରାମତି କରାଯାଉ ନ ଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ୫୫ ନଂ. ଜାତୀୟ ପଥରେ ରହିଥିବା ବଅଁରପାଳ ବସ୍‌ଷ୍ଟାଣ୍ଡ ଉପରେ ଦୈନିକ ଶତାଧିକ ଯାତ୍ରୀ ନିର୍ଭର କରନ୍ତି। ଏଠାରୁ କଟକ, ଭୁବନେଶ୍ୱର, ସମ୍ବଲପୁର, ଢେଙ୍କାନାଳ, ତାଳଚେର, ରାଉରକେଲା, ଅନୁଗୋଳ ଆଦି ସ୍ଥାନକୁ ଯିବା ପାଇଁ ଲୋକେ ବସ୍‌ ଧରିଥାନ୍ତି। ବଅଁରପାଳ, ବୁଢ଼ାପଙ୍କ, ନୂଆହତା, ଗଡସନ୍ତ୍ରୀ, ଭାଗବତପୁର, ଗୋତମରା, ସାଲଗାଡିୟା, ତାଳମୂଳ, ବଉଳିଗଡ଼ ସମେତ ଆଖପାଖ ଅଞ୍ଚଳର ଲୋକେ ଏହି ବସ୍‌ଷ୍ଟାଣ୍ଡ ଉପରେ ନିର୍ଭରଶୀଳ। ମାତ୍ର ଏହି ବଜାରରେ ଥିବା ୩ଟି ବିଶ୍ରାମାଗାର ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିଲେ ମଧ୍ୟ ଏହାର ଉନ୍ନତୀକରଣ କରାଯାଉ ନାହିଁ। ଗୋଟିଏ ବିଶ୍ରାମାଗାର ତାଳଚେର ରାସ୍ତା ପାର୍ଶ୍ୱରେ ରହିଥିବାବେଳେ ଆଉ ଗୋଟିଏ ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଓ ଅନ୍ୟଟି କୃଷି କାର୍ଯ୍ୟାଳୟ ନିକଟରେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଫଳରେ ଯାତ୍ରୀମାନେ ଖରା, ବର୍ଷା ସମୟରେ ରାସ୍ତା ପାର୍ଶ୍ୱରେ ଠିଆ ହୋଇ ଗାଡ଼ିକୁ ଅପେକ୍ଷା କରୁଛନ୍ତି। ଅନେକ ସମୟରେ ଗଛମୂଳ କିମ୍ବା କାହା ଦୋକାନ ବାରଣ୍ଡାରେ ଆଶ୍ରା ନେଉଛନ୍ତି। ପରିତ୍ୟକ୍ତ ଅବସ୍ଥାରେ ଥିବା ଉକ୍ତ ବିଶ୍ରାମାଗାରରେ ଅନେକ ସମୟରେ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ଅଭିଯୋଗ ହେଉଛି। ତେଣୁ ଏହାର ଉନ୍ନତୀକରଣ କରିବା ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି।