ଠକ ସଂସ୍ଥାର ୩ ଅଧିକାରୀ ଅଟକ: ଚାକିରି, ଋଣ କରାଇଦେବେ କହି ନେଉଥିଲେ ଟଙ୍କା

ପାରଳାଖେମୁଣ୍ଡି,୨୩ା୧୨(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର ବେକାର ଯୁବତୀ ଯୁବକଙ୍କୁ ବିଭିନ୍ନ ଚାକିରି ଆଉ ସେମାନଙ୍କ ପାଇଁ ଋଣ କରାଇଦେବା ଏବଂ ଘରେ ବସି ଡିଜିଟାଲରେ ଟଙ୍କା ରୋଜଗାର କରିବା ପ୍ରଲୋଭନ ଦେଖାଇ ଠକୁଥିବା ଏକ ସଂସ୍ଥାର ୩ ଜଣଙ୍କୁ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଅଟକ ରଖିଛି। ସେମାନଙ୍କ ମଧ୍ୟରେ ସମ୍ବଲପୁରର ୨ ଜଣ ଏବଂ ଅନ୍ୟ ଜଣେ ଗଜପତି ଜିଲା ଲାଇଲାଇ ଅଞ୍ଚଳର ବୋଲି ଜଣାପଡିଛି। ଏମାନେ ବିନା ଅନୁମତିରେ ସରକାରୀ ସଭାଗୃହରେ କର୍ମଶାଳା କରୁଥିଲେ।
ପାରଳାଖେମୁଣ୍ଡିସ୍ଥିତ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ ସଭାଗୃହରେ ପଶ୍ଚିମବଙ୍ଗର ସୁହାନା ଟ୍ରଷ୍ଟ/ସୁଇମ ଗ୍ରୁପ ଅଫ କମ୍ପାନୀ ନାମକ ଏକ ସଂସ୍ଥା କେତେଜଣ ବେକାର ଯୁବତୀ ଯୁବକଙ୍କୁ ନେଇ କର୍ମଶାଳା କରୁଥିବା ଜଣାପଡିିଥିଲା। ଉକ୍ତ ସଂସ୍ଥା ଋଣ ଯୋଗାଇବା, ଚାକିରି ଦେବା ଏବଂ ଘରେ ବସି ମାସିକ ହଜାର ହଜାର ଟଙ୍କା କିପରି ରୋଜଗାର କରିହେବ ସେ ନେଇ ଡିଜିଟାଲ କର୍ମଶାଳା କରିଥିଲା। ସଂସ୍ଥାର ୩ ଅଧିକାରୀଙ୍କ ସମେତ କେତେଜଣ ଯୁବତୀ ମଞ୍ଚରେ ବସି ଯୁବତୀ ଯୁବକଙ୍କୁ ଆକୃଷ୍ଟ କଲାଭଳି ଭାଷଣ ଦେଉଥିଲେ। ତେବେ କେଜେଣ ଗଣମାଧ୍ୟମ ପ୍ରତିନିଧି ପହଞ୍ଚି ତଥ୍ୟ ସଂଗ୍ରହ କରିବାରୁ ଶତାଧିକ ଯୁବତୀ ଯୁବକ ଉକ୍ତ ସଂସ୍ଥାକୁ ୨୫୦ ଟଙ୍କାରୁ ୫୦୦୦ ଟଙ୍କା ପର୍ଯ୍ୟନ୍ତ ଦେଇଥିବା ପ୍ରକାଶ କରିଥିଲେ। ଏପରି କର୍ମଶାଳା ହେଉଥିବା ଖବରପାଇ ଜିଲା ପ୍ରଶାସନ ପକ୍ଷରୁ ଡେପୁଟି କଲେକ୍ଟର ତ୍ରିନାଥ ସାହୁ ପହଞ୍ଚି ତଦନ୍ତ କରି ପାରଳାଖେମୁଣ୍ଡି ଆଦର୍ଶ ଥାନାକୁ ସୂଚନା ଦେଇଥିଲେ। ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଠକ ସଂସ୍ଥାର ୩ ଅଧିକାରୀଙ୍କୁ ଥାନାକୁ ଆଣି ଅଟକ ରଖିଛି। ଅନ୍ୟପଟେ ଟଙ୍କା ଦେଇଥିବା ଯୁବତୀଯୁବକମାନେ ପାରଳାଖେମୁଣ୍ଡି ଆଦର୍ଶ ଥାନାର ଦ୍ବାରସ୍ଥ ହୋଇଛନ୍ତି। ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ସଭା ଗୃହ ଜିଲା ପରିଷଦ ଅଧୀନରେ ପରିଚାଳିତ ହେଉଛି। ସେଠାରେ ଅଭିଯୁକ୍ତମାନଙ୍କୁ କର୍ମଶାଳା କରିବା ପାଇଁ କିଏ ଅନୁମତି ଦେଲେ ବୋଲି ଜିଲା ପରିଷଦର ଅତିରିକ୍ତ ନିର୍ବାହୀ ଅଧିକାରୀ ପୃଥିବୀରାଜ ମଣ୍ଡଳଙ୍କୁ ପଚାରିବାରୁ ସେ କହିଛନ୍ତି, କିଛି ଦିନ ପୂର୍ବରୁ ସଭାଗୃହ ବ୍ୟବହାର ପାଇଁ ଏକ ଦରଖାସ୍ତ ଆସିଥିଲେ ମଧ୍ୟ ତାହାକୁ ଖାରଜ କରାଯାଇଥିଲା ବୋଲି ଜଣାଇଛନ୍ତି। ଏ ବାବଦରେ ସେମାନଙ୍କ ଠାରୁ କୌଣସି ସଭାଗୃହ ବାବଦରେ ଭଡା ମଧ୍ୟ ନିଆଯାଇ ନ ଥିବା ସେ ପ୍ରକାଶ କରିଛନ୍ତି।

Dharitri – The Largest & Most Trusted Odia Daily