ଭୂସ୍ଖଳନର ୩ ମାସ ବିତିଲା, ମରାମତି ନୋହିଲା: ବିପଦରେ ବଙ୍ଗରଦୁଆ ଘାଟି ରାସ୍ତା

ଦାରିଙ୍ଗବାଡି,୧୯।୯(ଅରୁଣ ସାହୁ): ଚଳିତ ବର୍ଷା ଦିନ ଆରମ୍ଭରୁ କନ୍ଧମାଳ ଜିଲାର ଏକାଧିକ ରାସ୍ତା ତଥା ପଞ୍ଚାୟତକୁ ସଂଯୋଗ କରୁଥିବା ରାସ୍ତା ହେଉ କି ବ୍ଲକ ହେଡ଼ କ୍ୱାର୍ଟରକୁ ସଂଯୋଗ କରୁଥିବା ରାସ୍ତା ସବୁଠି କ୍ଷତି ହୋଇଥିବା ଜଣାପଡିଛି। ଏହି କ୍ରମରେ ଦାରିଙ୍ଗବାଡି-ବ୍ରାହ୍ମଣୀଗାଁକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଯାହାକି ପୂର୍ତ୍ତ ବିଭାଗ ଅଧୀନରେ ରହିଛି। ସେହି ରାସ୍ତାର ଏକାଧିକ ସ୍ଥାନରେ ଭୂସ୍ଖଳନ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାହା ମରାମତି ହୋଇପାରିନାହିଁ। ବ୍ରାହ୍ମଣୀଗାଁ ନିକଟ ବଙ୍ଗରଦୁଆ ଘାଟିରେ ସର୍ବାଧିକ ୩ ସ୍ଥାନରେ ଭୂସ୍ଖଳନ ହୋଇ ପାହାଡ଼ରୁ ମାଟି, ପଥର ଖସି ଗାର୍ଡ ୱାଲଗୁଡିକୁ ଭାଙ୍ଗି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଭୂସ୍ଖଳନ ସ୍ଥାନରୁ ମାଟି ପଥରକୁ ହଟାଯାଇପାରିନାହିଁ କି ମରାମତି କାର୍ଯ୍ୟ କରାଯାଇନାହିଁ। ଅହେତୁକ ଅବହେଳା ଯୋଗୁ ଏବେ ଯାତ୍ରୀମାନେ ସେହିରାସ୍ତା ଦେଇ ଯାତାୟାତ କରିବାକୁ ଭୟ କରୁଛନ୍ତି।
ଏବେ କନ୍ଧମାଳ ଜିଲାର ବିଭିନ୍ନ ସ୍ଥାନରେ ଅପରାହ୍ନ ହେବାକ୍ଷଣି ବର୍ଷା ମାଡି ଆସୁଛି ପ୍ରବଳ ବର୍ଷା। ବାଦଲଫଟା ବର୍ଷା କାରଣରୁ ଜି.ଉଦୟଗିରି ବ୍ଲକ କଳିଙ୍ଗା ଘାଟି ଭୂସ୍ଖଳନ ହୋଇଥିବାବେଳେ ବାଡ଼ କ୍ଷୟକ୍ଷତି ଘଟିଥିବାବେଳେ ବ୍ରାହ୍ମଣୀଗାଁ ଅଞ୍ଚଳରେ ମଧ୍ୟ ପ୍ରତିଦିନ ଅପରାହ୍ନରେ ବାଦଲଫଟା ବର୍ଷା ହେଉଛି ଫଳରେ ସେହି ବଙ୍ଗରଦୁଆ ଘାଟିର ଅବସ୍ଥା ମଧ୍ୟ କଳିଙ୍ଗା ଘାଟି ଭଳି ବଡ଼ ଭୂସ୍ଖଳନ ଆଶଙ୍କା କରି ଯାତ୍ରୀମାନେ ସେହି ରାସ୍ତାରେ ବର୍ଷା ସମୟରେ ଯାତାୟାତ କରିବାକୁ ସୁରକ୍ଷା ମଣୁ ନ ଥିବା କହିଛନ୍ତି। ଏନେଇ ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ହରିହର ଦାସ କହିଛନ୍ତି, ଏବେ ବର୍ଷା ଚାଲିଛି। ତେଣୁ ଏହାର ଅଟକଳ କରାଯାଇ ଟେଣ୍ଡର କରାଯାଇ ଶାରଦୀୟ ପୂଜା ଛୁଟି ପରେ ତାକୁ ମରାମତି କରାଯିବ। ଏଥିପାଇଁ ପ୍ରାୟ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବାକୁ ଲକ୍ଷ ରହିଥିବା ସେ କହିଛନ୍ତି।