ବରଗଡ଼,୨୦।୧(ପ୍ରେମାନନ୍ଦ ଖମାରୀ) – ବରଗଡ଼ ରାଣା ପ୍ରତାପ ସ୍କୁଲ ପରିସରରେ ଚାଲିଥିବା ବରଗଡ଼ ଜିଲାସ୍ତରୀୟ ପିଏମଶ୍ରୀ ଉତ୍ସବ ମଙ୍ଗଳବାର ଉଦଯାପିତ ହୋଇଯାଇଛି । ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ବିଶିଷ୍ଟ ଅତିଥି ଭାବେ ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ, ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ, ବିଜେପୁର ବିଧାୟକ ସନତ ଗଡତିଆ ପ୍ରମୁଖ ଯୋଗଦେଇ ଥିଲେ। ବାସ୍ତବ ଶିକ୍ଷା ନିଜ ମାଟି ଓ ଅଞ୍ଚଳର ବିକାଶ ପାଇଁ ପ୍ରେରଣା ଯୋଗାଇଥାଏ ବୋଲି ଅତିଥିବୃନ୍ଦ ମତପ୍ରକାଶ କରିଥିଲେ ।
ସରକାର ଜାତୀୟ ଶିକ୍ଷା ନୀତିକୁ ରାଜ୍ୟରେ ପ୍ରଚଳନ କରିବା ସହିତ ଶିକ୍ଷାର ଭିତ୍ତିଭୂମି ଓ ଗୁଣାତ୍ମକ ଶିକ୍ଷାକୁ ଗୁରୁତ୍ବ ପ୍ରଦାନ କରିବା ସହିତ ରାଜ୍ୟରେ ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଗୁଡ଼ିକୁ ପର୍ଯ୍ୟାପ୍ତ ପରିମାଣରେ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି ବୋଲି ସେମାନେ କହିଥିଲେ । ଜିଲା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତ ସାହୁ ଉଦ୍ଦେଶ୍ୟ ଜ୍ଞାପନ କରିଥିବାବେଳେ ପିଏମଶ୍ରୀ ଉତ୍ସବ ପାଳନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ।
ବିଜ୍ଞାନ ନିରୀକ୍ଷକ ଧିରୋଜ କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଗୋବିନ୍ଦ ସେଟ୍ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ପିଏମଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବରଗଡ଼ର ଛାତ୍ରୀମାନେ ସ୍ଵାଗତ ସଙ୍ଗୀତ ଗାନ କରିଥିଲେ । ଏହି ଅବସରରେ ଅନୁଷ୍ଠିତ ହୋଇଥିବା ଆକାଂକ୍ଷି ମେଳା, ଇନସ୍ପାୟରିଂ ଓଡ଼ିଶା -୨୦୨୬, ଆକାଂକ୍ଷି ଛାତ୍ର ପରିସର , ଟେଲେଣ୍ଟ ଗ୍ୟାଲେରୀ ଓ ଦୋକାନ ଯାତ୍ରା ପ୍ରମୁଖ ତିନିଟି ପେଭିଲିଅନରେ ୩୩୨ରୁ ଊର୍ଦ୍ଧ୍ବ ପ୍ରକଳ୍ପ ରହିଥିବା ବେଳେ ଅତିଥିବୃନ୍ଦ ଏହି ପ୍ରକଳ୍ପ ପ୍ରଦର୍ଶନୀକୁ ଉଦଘାଟନ କରିବା ସହ ଛାତ୍ରୀଛାତ୍ରଙ୍କ ସୃଜନଶୀଳ ପ୍ରକଳ୍ପ ଗୁଡ଼ିକୁ ବୁଲି ଦେଖିଥିଲେ ।
କାର୍ଯ୍ୟକ୍ରମ ପରିଚାଳନାରେ ଜିଲାର ସମସ୍ତ ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ, ପ୍ରଧାନ ଶିକ୍ଷକ, ସମସ୍ତ ବ୍ଲକ ଶିକ୍ଷା ଅଧିକାରୀ ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀବୃନ୍ଦଙ୍କ ସମେତ ରାଣା ପ୍ରତାପ ସ୍କୁଲର ସମସ୍ତ ଶିକ୍ଷୟିତ୍ରୀ, ଶିକ୍ଷକ ଓ କର୍ମଚାରୀ ସହଯୋଗ କରିଥିଲେ । ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ବିନୟ ପ୍ରକାଶ ସୟ ଧନ୍ୟବାଦ ଅର୍ପଣ କରିଥିଲେ ।