ଦିଗପହଣ୍ଡି,୨୫।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ଆସିକା ୩୨୬ ନମ୍ବର ଜାତୀୟ ରାଜପଥର ମହାନଳା ଗ୍ରାମ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ନିକଟରେ ଏକ ହାଇୱା ଟ୍ରକ(ନଂ.ଓଡି୦୫ଏଫ-୯୦୦୧) ମାଡ଼ି ଯିବାରୁ ଦିଗପହଣ୍ଡିର ୩ଜଣ ବାଇକ୍ ଆରୋହୀ ଏମ୍. ଅଶ୍ୱିନୀ କୁମାର ଦୋରା, କେ. ବାଳକୃଷ୍ଣ ରେଡ୍ଡୀ ଏବଂ ପନ୍ଦରା ସାହିଶର ସରୋଜ କୁମାର ବେହେରା ଓରଫ କାଳିଆଙ୍କ ମୃତ୍ୟୁ ଘଟିଛି।
ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ମୃତଦେହ ବ୍ୟବଚ୍ଛେଦ ପରେ ଦିଗପହଣ୍ଡିରେ ପହଞ୍ଚିବା ପରେ ସ୍ଥାନୀୟ ପୁଞ୍ଜିକଂୟା ଚାରି ଛକରେ ପରିବାର ଏବଂ ସମ୍ପର୍କୀୟ ଲୋକଙ୍କ ଉପସ୍ଥିତିରେ ବହୁ ସଂଖ୍ୟକ ଯୁବକ ଛକର ୩ ଦିଗରେ ମୃତଦେହ ରଖି ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ।
ଫଳରେ ଦିଗପହଣ୍ଡି- ଚିକିଟି, ଦିଗପହଣ୍ଡି-ଆସିକା, ଦିଗପହଣ୍ଡି-ରାୟଗଡ଼ା ଏବଂ ଦିଗପହଣ୍ଡି-ବ୍ରହ୍ମପୁର ମୁଖ୍ୟରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ଥିଲା। ଦିଗପହଣ୍ଡି ତହସିଲଦାର ତଥା ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ସନ୍ତୋଷ କୁମାର ସାହୁ, ଦିଗପହଣ୍ଡି ଥାନା ଭାରପ୍ରାପ୍ତ ଆଇଆଇସି ତଥା ଡିଏସ୍ପି ପ୍ରଶାନ୍ତ କୁମାର ପାତ୍ର ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିଥିଲେ।
ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ଶୋକ ପ୍ରକାଶ କରିବା ସହ ପ୍ରତି ମୃତକଙ୍କ ପରିବାର ଲୋକଙ୍କୁ ୪ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ କରିଥିବା ନେଇ ଲୋକଙ୍କୁ ବୁଝାଇଥିଲେ ମଧ୍ୟ ଆନ୍ଦୋଳନକାରୀମାନେ ଗଞ୍ଜାମ ଜିଲାପାଳ କିମ୍ବା ଉପଜିଲାପାଳ ଘଟଣାସ୍ଥଳକୁ ଆସି ୪୦ଲକ୍ଷ ଟଙ୍କା କ୍ଷତିପୂରଣ ପାଇଁ ଘୋଷଣା କଲେ ହିଁ ରାସ୍ତା ଅବରୋଧ ପ୍ରତ୍ୟାହୃତ ହେବ ବୋଲି ନିଜ ଜିଦ୍ରେ ଅଟଳ ରହିଛନ୍ତି। ଫଳରେ ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଅନ୍ୟପକ୍ଷେ ଘଟଣାସ୍ଥଳରେ ଆନ୍ଦୋଳନ ଜାରି ରହିଛି।
ଏନେଇ ବ୍ରହ୍ମପୁର-ଭାୟା ଦିଗପହଣ୍ଡି ଦେଇ ଗଜପତି, ରାୟଗଡ଼ା, କୋରାପୁଟ, କଳାହାଣ୍ଡି, ମାଲକାନଗିରି ସମେତ ଛତିଶଗଡ଼, ମଧ୍ୟପ୍ରଦେଶ ଓ ଆନ୍ଧ୍ରପ୍ରଦେଶ ଯାଉଥିବା ଯାନବାହନ ଅଟକି ରହିଥିବାରୁ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।