ଅମରପାଲି,୧୭ା୧୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲଶ ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳରେ କିଡ଼ନୀ ରୋଗରେ ୮ ଦିନ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଧରିତ୍ରୀରେ ଖବର ପ୍ରସାରଣ ପରେ ସ୍ବାସ୍ଥ୍ୟ ବିଭାଗ ତତ୍ପରତା ପ୍ରକାଶ କରିଛି। ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ ମଙ୍ଗଳବାର ମୃତକଙ୍କ ଘରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ଟିମ୍ରେ ବୀରମହାରାଜପୁର ଉପଖଣ୍ଡୀୟ ଚିକିତ୍ସାଳୟ ମେଡ଼ିକାଲ ଅଫିସର ଡ.ମାନସ କୁମାର ନାୟକ, ସିଏଚଓ ବିଭୁଦେନ୍ଦ୍ର ପ୍ରତାପ ବିଶାଳ, ଭାରପ୍ରାପ୍ତ ପୁରୁଷ ଏମ୍ପିଏଚ୍ଏସ ଗିରିଧାରୀ ସାହୁ, ଫାର୍ମାସିଷ୍ଟ ଗଦାଧର ସୁରଜାଲ, ଏଲଟି ବିଶ୍ୱଜିତ ବାରିକ, ଏଏନଏମ ଭାମାବତୀ ହାତୀ ପ୍ରଥମେ ଦାଦରପାଲି ଯାଇ କିଡ଼ନୀ ରୋଗରେ ମୃତ ମେଘୁ ମହାକୁରଙ୍କ ଘରକୁ ଯାଇ ତାଙ୍କ ପରିବାର ଲୋକଙ୍କ ସହିତ ଆଲୋଚନା କରିଥିଲେ। ପରବର୍ତ୍ତୀ ସମୟରେ ହୋତାପାଲି ଗ୍ରାମକୁ ଯାଇ ଅନିଲ ଲାକ୍ରା ଓ ଅମିତ ଲାକ୍ରାଙ୍କ ପରିବାର ଲୋକଙ୍କ ସହିତ ଆଲୋଚନା କରିଥିଲେ। ଏହା ସହିତ ଉଭୟ ଗ୍ରାମରେ ପାନୀୟ ଜଳ ପାଇଁ ବହୁଳ ଭାବରେ ବ୍ୟବହାର ହେଉଥିବା କୂପ ଓ ନଳକୂପର ଜଳ ନମୁନା ମଧ୍ୟ ସଂଗ୍ରହ କରି ପରୀକ୍ଷା ପାଇଁ ନେଇଛନ୍ତି। ଏହା ସହିତ ଦୁର୍ଜନତୈଲା ପଞ୍ଚାୟତ ର ମସିଣାପାଲି ଗ୍ରାମରେ ମଧ୍ୟ ରକ୍ତ ନମୁନା ସଂଗ୍ରହ କରିଥିଲେ। ସମୁଦାୟ ୩୬ଟି ରକ୍ତ ନମୁନା ସଂଗ୍ରହ କରାଯାଇଛି। ଏହା ସହିତ ଗ୍ରାମରେ ଲୋକଙ୍କ ରକ୍ତ ନମୁନା ଓ ପାନୀୟ ଜଳ ସଂଗ୍ରହ କରି ପରୀକ୍ଷା ପାଇଁ ନେଇଛନ୍ତି। ସୂଚନାନୁସାରେ ଗତ ସୋମବାର ବହଳପଦର ପଞ୍ଚାୟତର ହୋତାପାଲିରେ ଅନୀଲ ଲାକ୍ରା (୫୦)ଙ୍କ କିଡନୀ ରୋଗର ମୃତ୍ୟୁ ଘଟିଥଲା l ଏହାର ୪ଦିନ ପରେ ତାଙ୍କ ପୁତୁରା ଅମିତ ଲାକ୍ରା (୩୦)ଙ୍କ ମଧ୍ୟ କିଡନୀ ରୋଗରେ ମୃତ୍ୟୁ ହୋଇଥଲା। ଅମିତଙ୍କ ମୃତ୍ୟୁର ଚାରି ଦିନ ପରେ ଦୁର୍ଜନତୈଲା ପଞ୍ଚାୟତ ଦାଦରପାଲି ଗ୍ରାମର ମେଘୁ ମହାକୁର(୩୪)ଙ୍କ ମଧ୍ୟ କିଡନୀ ରୋଗରେ ମୃତ୍ୟୁ ହୋଇଥଲା। ଏ ନେଇ ଖବର ପ୍ରସାରଣ ପରେ ସ୍ବାସ୍ଥ୍ୟ ବିଭାଗ ମୃତକଙ୍କ ଘରେ ପହଞ୍ଚିଛି।