ଦିଗପହଣ୍ଡି,୩୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗଡ ଗୋବିନ୍ଦପୁର ପଞ୍ଚାୟତ କଳିଙ୍ଗଦଳା ଗାଁ ବାହୁଦା ନଦୀରେ ଭାସିଯାଇ ୩ ଜଣଙ୍କ ମୃତ୍ୟୁ ଘଟିଛି। ଜଣେ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ମୃତକ ମାନେ ହେଲେ କଳିଙ୍ଗଦଳା ଗାଁର ଉଷା ବେହେରା(୫୫) ତାଙ୍କ ଝିଅ ଅନୁସୂୟା ବେହେରା(୩୧), ନାତି ଆଦିତ୍ୟ ବେହେରା(୪) ଏବଂ ଗୁରୁତର ଜଣକ ହେଲେ ୩ ବର୍ଷର ନାତୁଣୀ ମଲ୍ଲି ।
ମଙ୍ଗଳବାର ଅପରାହ୍ନ ପ୍ରାୟ ୩ ଟାରେ ଏହି ମର୍ମନ୍ତୁଦ ଅଘଟଣ ଘଟିଛି। ଜକର ପଞ୍ଚାୟତ କେ. ନୂଆଗାଁ ଥାନା ନିକଟ ମା’ ରତ୍ନେଶ୍ୱରୀଙ୍କ ମନ୍ଦିରରେ ନବରାତ୍ରି ମହାଷ୍ଟମୀ ପୂଜା ଦେଖିବାକୁ ଉଷା ତାଙ୍କ ଝିଅ ଓ ନାତି ନାତୁଣୀଙ୍କୁ ସାଙ୍ଗରେ ନେଇ ଯାଇଥିଲେ। ସେଠାରେ ପ୍ରସାଦ ସେବନ କରି ଗାଁକୁ ନଦୀ ପାର ହୋଇ ଫେରୁଥିବା ବେଳେ ଅସାବଧାନତା କାରଣରୁ ପାଣି ସ୍ରୋତରେ ଭାସି ଯାଇଥିଲେ। ନଦୀ ତଟରେ ଥିବା କିଛି ବ୍ୟକ୍ତି ସମସ୍ତଙ୍କୁ ଉଦ୍ଧାର କରି ଚିକିଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ୩ ଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ମଲ୍ଲିସ୍ଙ୍କୁ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ କେ.ନୂଆଗାଁ ଥାନା ଚିକିଟି ଫାଣ୍ଡି ଏସ.ଆଇ ଗୌତମ ସାହୁ ଗୋଷ୍ଠୀ ସୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମୃତଦେହ ଜବତ କରିବା ସହ ଅପମୃତ୍ୟୁ ମାମଲା ରୁଜୁକରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଛନ୍ତି। ଉଷାଙ୍କ ଝିଅ ଅନୁସୂୟା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମ ବଡ଼ଦାଣ୍ଡ ସାହିର ଧୋବା ବେହେରାଙ୍କୁ ବିବାହ କରିଛନ୍ତି। ସେ ଛୁଆ ମାନଙ୍କୁ ନେଇ ତାଙ୍କ ମା’ ଘରକୁ ବୁଲି ଯାଇଥିଲେ। ମଙ୍ଗଳବାର ମଧ୍ୟାହ୍ନରେ ସେମାନେ ନଦୀପାର ହୋଇ ମନ୍ଦିରକୁ ଦର୍ଶନ ନିମନ୍ତେ ଯାଇଥିଲେ।