ମୁର୍ଶିଦାବାଦ ହିଂସାରେ ୩ ଜଣଙ୍କ ମୃତ୍ୟୁ, ୧୧୦ ଗିରଫ, ହାଇକୋର୍ଟ ଗଲା ଭାଜପା

କୋଲାକାତା,୧୨।୪: ପଶ୍ଚିମବଙ୍ଗର ଅନେକ ଜିଲାରେ ୱକଫ ଆଇନ ବିରୋଧରେ ହିଂସାତ୍ମକ ପ୍ରତିବାଦ ଦେଖିବାକୁ ମିଳୁଛି। ଶୁକ୍ରବାର ୱକଫ ସଂଶୋଧନ ଆଇନ ବିରୋଧରେ ପ୍ରତିବାଦ ସମୟରେ ମୁସଲିମ ବହୁଳ ମୁର୍ଶିଦାବାଦ ଜିଲାରେ ହିଂସା ଘଟିଥିଲା। ଏହି ହିଂସାରେ ତିନି ଜଣଙ୍କର ମୃତ୍ୟୁ ହୋଇଛି।
ସୂଚନା ଅନୁଯାୟୀ, ଜିଲାର ଶମଶେରଗଞ୍ଜ ଅଞ୍ଚଳର ଏକ ଘରୁ ବାପା ଏବଂ ପୁଅଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ଶରୀରର ଅନେକ ସ୍ଥାନରେ ଆଘାତ ଚିହ୍ନ ଅଛି। ସୁଟିରେ ଗୁଳି ବାଜିବା ପରେ ଜଣେ କିଶୋରର ମୃତ୍ୟୁ ହୋଇଥିଲା।
ମୁର୍ଶିଦାବାଦରେ ଘଟିଥିବା ହିଂସା ଘଟଣାରେ ୧୧୦ ଜଣଙ୍କୁ ଗିରଫ କରାଯାଇଥିଲା। ପୋଲିସ ଶନିବାର ଏହି ସୂଚନା ଦେଇଛି। ଶୁକ୍ରବାର ହିଂସା ସମୟରେ ଏକ ପୋଲିସ ଭ୍ୟାନ ସମେତ ଅନେକ ଗାଡ଼ି ପୋଡ଼ି ଦିଆଯାଇଥିଲା। ସୁରକ୍ଷା ବାହିନୀ ଉପରେ ପଥର ମାଡ଼ କରାଯାଇଥିଲା ଏବଂ ରାସ୍ତା ଅବରୋଧ କରାଯାଇଥିଲା। ହିଂସାରେ ୧୫ରୁ ଅଧିକ ପୋଲିସ କର୍ମଚାରୀ ଏବଂ ଅନେକ ଲୋକ ଆହତ ହୋଇଥିଲେ।
ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ କହିଛନ୍ତି ଯେ ମୁର୍ଶିଦାବାଦର ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଇଛି। ପରିସ୍ଥିତି ବହୁତ ଗମ୍ଭୀର ଏବଂ ଏହା ରାଜ୍ୟ ପ୍ରଶାସନର ନିୟନ୍ତ୍ରଣ ବାହାରେ। ହିଂସା ପ୍ରଭାବିତ ଅଞ୍ଚଳରେ କେନ୍ଦ୍ରୀୟ ବାହିନୀ ମୁତୟନ କରିବାକୁ ଦାବି କରି ଅଧିକାରୀ ହାଇକୋର୍ଟରେ ଏକ ଆବେଦନ ଦାଖଲ କରିଛନ୍ତି। ସାରେ ଦୁଇ ଜଣ ବିଚାରପତିଙ୍କ ଏକ ସ୍ବତନ୍ତ୍ର ଖଣ୍ଡପୀଠ ଏହାର ଶୁଣାଣି କରିବେ।
ସେହିପରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସମସ୍ତ ଲୋକଙ୍କୁ ଶାନ୍ତି ବଜାୟ ରଖିବାକୁ ନିବେଦନ କରିଛନ୍ତି। ଅନ୍ୟପକ୍ଷରେ, ପୋଲିସ ଲୋକମାନଙ୍କୁ କୌଣସି ପ୍ରକାରର ଉତ୍ତେଜନା ଉପରେ ଧ୍ୟାନ ନ ଦେବାକୁ କହିଛି।
ମୁର୍ଶିଦାବାଦ ଏବଂ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ହିଂସା ମଧ୍ୟରେ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲୋକମାନଙ୍କୁ ଶାନ୍ତି ବଜାୟ ରଖିବାକୁ ନିବେଦନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମମତା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି ଯେ ଆମେ ୱକଫ ଆଇନର ସପକ୍ଷରେ ନାହୁଁ। ପଶ୍ଚିମବଙ୍ଗରେ ୱକଫ ଆଇନ ଲାଗୁ ହେବ ନାହିଁ, ତେବେ ଦଙ୍ଗା କରିବାର ଅର୍ଥ କ’ଣ?
ମୁଖ୍ୟମନ୍ତ୍ରୀ ଲୋକମାନଙ୍କୁ ଆହ୍ବାନ ଦେଇ କହିଛନ୍ତି ଯେ ସମସ୍ତ ଧର୍ମର ଲୋକଙ୍କୁ ମୋର ବିନମ୍ର ନିବେଦନ ଯେ ଦୟାକରି ଶାନ୍ତ ଏବଂ ସଂଯମ ରୁହନ୍ତୁ। ଧର୍ମ ନାମରେ କୌଣସି ଭୁଲ କାମ କରନାହିଁ। ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନ ମୂଲ୍ୟବାନ, ରାଜନୀତି ପାଇଁ ଦଙ୍ଗା ଉସକାନ୍ତୁ ନାହିଁ। ଯେଉଁମାନେ ଦଙ୍ଗା ସୃଷ୍ଟି କରୁଛନ୍ତି, ସେମାନେ ସମାଜର କ୍ଷତି କରୁଛନ୍ତି।