Categories: Home Leftଖେଳ

ଜ୍ୟାକବ ଡଫିଙ୍କ ଘାତକ ବୋଲିଂ: ୩-୧ରେ ସିରିଜ୍‌ ପୋଛିନେଲା ନ୍ୟୁଜିଲାଣ୍ଡ

ଡୁନେଡିନ, ୧୩ା୧୧- ଜ୍ୟାକବ ଡଫିଙ୍କ ଘାତକ ବୋଲିଂ ବଳରେ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଖେଳାଯାଇଥିବା ପଞ୍ଚମ ତଥା ଅନ୍ତିମ ଟି୨୦ ମ୍ୟାଚ୍‌କୁ ନ୍ୟୁଜିଲାଣ୍ଡ ୮ ଉଇକେଟରେ ଜିତି ନେଇଛି। ଓ୍ବେଷ୍ଟଇଣ୍ଡିଜ୍‌ ଦ୍ୱାରା ପ୍ରଦତ୍ତ ୧୪୧ ରନର ଟାର୍ଗେଟକୁ ନ୍ୟୁଜିଲାଣ୍ଡ ୧୫.୪ ଓଭରରେ ୨ ଉଇକେଟ ହରାଇ ହାସଲ କରି ନେଇଥିଲା। ଏହି ବିଜୟ ସହ ନ୍ୟୁଜିଲାଣ୍ଡ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌କୁ ୩-୧ ବ୍ୟବଧାନରେ ବିଜୟୀ ହୋଇଛି। ସିରିଜ୍‌ର ଚତୁର୍ଥ ମ୍ୟାଚ୍‌ ବର୍ଷାରେ ଧୋଇଯାଇଥିଲା। ଡଫିଙ୍କୁ ଉଭୟ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ଓ ସିରିଜ୍‌ ବିବେଚିତ କରାଯାଇଛି।

ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଓ୍ବେଷ୍ଟଇଣ୍ଡିଜ୍‌ ୧୮.୪ ଓଭରରେ ୧୪୦ ରନରେ ଅଲଆଉଟ୍‌ ହୋଇଯାଇଥିଲା। ଦଳ ପାଇଁ ରୋଷ୍ଟନ ଚେଜ ୩୮ (୩ ଚୌକା ଓ ୧ ଛକା), ରୋମାରିଓ ଶେଫର୍ଡ ୩୬ (୩ ଲେଖାଏ ଚୌକା ଓ ଛକା) ଓ ଜାସନ ହୋଲ୍ଡର ୨୦ (୧ ଲେଖାଏ ଚୌକା ଓ ଛକା) ରନ କରିଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ ଡଫି ୪ ଓ ଜେମ୍ସ ନିଶାମ ୨ ଉଇକେଟ ନେଇଥିଲେ।

ଜବାବରେ ନ୍ୟୁଜିଲାଣ୍ଡ ୧୫.୪ ଓଭରରେ ୨ ଉଇକେଟ ହରାଇ ବିଜୟଲକ୍ଷ୍ୟ ହାସଲ କରି ନେଇଥିଲା। ଦଳ ପାଇଁ ଟିମ୍‌ ରବିନସନ ୪୫ (୫ ଚୌକା ଓ ୩ ଛକା) ଓ ରଚିନ ରବୀନ୍ଦ୍ର ୨୧ (୨ ଚୌକା ଓ ୧ ଛକା) ରନ କରି ଆଉଟ୍‌ ହୋଇଥିବା ବେଳେ ଡେଭନ କନଓ୍ବେ ୪୭ (୪ ଚୌକା ଓ ୧ ଛକା) ଓ ମାର୍କ ଚାପମ୍ୟାନ ୨୧ (୨ ଛକା) ରନରେ ଅପରାଜିତ ରହି ମ୍ୟାଚ୍‌ ଫିନିଶ କରିଥିଲେ।