ବାରବାଟୀରେ ହାରିଲା ଟିମ୍‌ ଇଣ୍ଡିଆ

କଟକ ଅଫିସ,୧୨।୬: ସ୍ଥାନୀୟ ବାରବାଟୀ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ୪ ଉଇକେଟରେ ଟିମ୍‌ ଇଣ୍ଡିଆକୁ ହରାଇ ଦେଇଛି। ଏହି ବିଜୟ ସହ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ୫ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ୨-୦ର ଅଗ୍ରଣୀ ହାସଲ କରିଛି। ଅନ୍ୟପକ୍ଷରେ ଟିମ୍‌ ଇଣ୍ଡିଆ ପାଇଁ ପୁଣି ଥରେ ଅନ୍‌ଲକି ସାବ୍ୟସ୍ତ ହୋଇଛି ବାରବାଟୀ ଷ୍ଟାଡିୟମ୍‌। ଏହି ଗ୍ରାଉଣ୍ଡରେ ପୁଣି ଭାରତୀୟ ଦଳର ବ୍ୟାଟିଂ ଲାଇନ୍‌ ଫେଲ ମାରିଥିଲା। ଟପ୍‌ ଅର୍ଡର ବିଫଳତା ଯୋଗୁ ଟିମ୍‌ ଇଣ୍ଡିଆ ବଡ଼ ସ୍କୋର ଛିଡ଼ା କରିପାରି ନ ଥିଲା। ଶେଷ ଆଡ଼କୁ ଦୀନେଶ କାର୍ତ୍ତିକଙ୍କ ଅପରାଜିତ ୩୦ ରନ ଯୋଗୁ ଭାରତୀୟ ଦଳ ୨୦ ଓଭରରେ ୬ ଉଇକେଟ ହରାଇ ୧୪୮ ରନ୍‌ କରିଥିଲା। ଜବାବରେ ଭୁବନେଶ୍ୱର କୁମାରଙ୍କ ଘାତକ ବୋଲିଂ ଯୋଗୁ ଭ୍ରମଣକାରୀ ଦଳ ୨୯ ରନ୍‌ରେ ୩ ଉଇକେଟ ହରାଇ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। କିନ୍ତୁ ହେନରିଚ୍‌ କ୍ଲାସେନ (୮୧ ରନ୍‌, ୭ ଚୌକା ଓ ୫ ଛକା) ଓ ଅଧିନାୟକ ଟେମ୍ବା ବଭୁମା (୩୫ ରନ୍‌, ୪ ଚୌକା ଓ ୧ ଛକା) ଭାରତ ଠାର ୁ ମ୍ୟାଚ୍‌ ଛଡ଼ାଇ ନେଇଥିଲେ। ଶେଷ ଆଡ଼କୁ ଭୁବନେଶ୍ୱର ପୁଣି ଉଇକେଟ ନେଇଥିଲେ ମଧ୍ୟ ମ୍ୟାଚ୍‌ର ଫଳାଫଳ ଉପରେ କୌଣସି ପ୍ରଭାବ ପଡ଼ି ନ ଥିଲା। ଫଳରେ ଦକ୍ଷିଣ ଆଫ୍ରିକା ୧୮.୨ ଓଭରରେ ୬ ଉଇକେଟ ହରାଇ ୧୪୯ ରନ୍‌ କରି ମ୍ୟାଚ୍‌ ଜିତି ନେଇଥିଲା।

Share