ନୂଆପଡ଼ା,୧୦ା୧୧ (ମକାରୁ ବେମାଲ) : ରାତି ପାହିଲେ ନୂଆପଡ଼ାରେ ଉପନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନ ମଇଦାନରେ ପ୍ରମୁଖ ଭାଜପା, ବିଜେଡି, କଂଗ୍ରେସ ଦଳର ପ୍ରାର୍ଥୀଙ୍କ ସମେତ ମୋଟ ୧୪ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଛନ୍ତି। ଏମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ନିର୍ବାଚନମଣ୍ଡଳୀର ୨ ଲକ୍ଷ ୫୪ ହଜାର ୪୯୭ ଭୋଟର। ଭୋଟରମାନେ ୩୫୮ ମତଦାତା କେନ୍ଦ୍ରକୁ ଯାଇ ନିଜର ବହୁମୂଲ୍ୟ ମତ ସାବ୍ୟସ୍ତ କରି ବିଧାୟକ ଚୟନ କରିବେ। ନୂଆପଡ଼ା ବ୍ଲକରେ ୧୫୭, କୋମନା ବ୍ଲକରେ ୧୬୫, ନୂଆପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦରେ ୧୭ ଓ ଖରିଆର ରୋଡ୍ ବିଜ୍ଞାପିତ ଅଞ୍ଚଳ ପରିଷଦରେ ୧୯ ମତଦାନ କେନ୍ଦ୍ର କରାଯାଇଛି। ଉପନିର୍ବାଚନ ପାଇଁ ଭୋଟରମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ପର ତ୍ସାହିତ ଥିବା ଦେଖିବାକୁ ମିଳିଛି।
ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ରବିବାର ଅପରାହ୍ନ ୪ଟାରେ ନିର୍ବାଚନୀ ପ୍ରଚାର ଶେଷ ହୋଇଛି। ବର୍ତ୍ତମାନ ବିଭିନ୍ନ ଦଳର କର୍ମୀ ଓ ସମର୍ଥକ ଶେଷ ପର୍ଯ୍ୟାୟ ଲଢେଇ ପାଇଁ ପୁର ଦମରେ ଲାଗିପଡିଛନ୍ତି। ପ୍ରଚାର ଶେଷହେବା ପରେ ଆରମ୍ଭ ହୋଇଛି ଅନ୍ଧାରୀ ବିଜେ। କର୍ମୀମାନେ ଘରକୁ ଘର ବୁଲି ନିର୍ବାଚନୀ ଚିରକୁଟ ବାଣ୍ଟିବା ଆରମ୍ଭ କରିଛନ୍ତି। ଯେଉଁ ଗାଁ ବା ପଡ଼ାରେ ଦୁର୍ବଳ ସ୍ଥିତି ଦେଖୁଛନ୍ତି ତା’ ଉପରେ ଅଧିକ ନଜର ରଖିଛନ୍ତି। ପ୍ରାୟ ସମସ୍ତ ଦଳର କର୍ମୀମାନେ ଗଡ ଜଗିବା ଆରମ୍ଭ କରିଦେଇଛନ୍ତି। ରାତି ପାହିଲେ ନିର୍ବାଚନ ଥିବାରୁ ଦଳୀୟ ନେତା ଦିନରାତି ଏକ କରି ନିର୍ବାଚନ ବୈତରଣୀ ପାରିହେବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛନ୍ତି। ଭୋଟର ଏପଟସେପଟ ନ ହେବା ପାଇଁ ଗାଁ, ପଡ଼ା ଓ ବୁଥ୍ ସ୍ତରରେ ଭୋଜି ଭାତର ଆସର ଜମିଛି। ପ୍ରାର୍ଥୀମାନେ ଘରେ ବସି ଅଙ୍କ କଷିବା ଆରମ୍ଭ କରିଛନ୍ତି। ଯେଉଁ ବୁଥ୍ ଦୁର୍ବଳ ରହିଛି ତା’ ଉପରେ ନଜର ରଖି କର୍ମୀମାନଙ୍କୁ ଜଗାଇବା ସହ ବିକଳ୍ପ ବ୍ୟବସ୍ଥା ପାଇଁ ଅଣ୍ଟା ଭିଡିଛନ୍ତିା ଏଥିରେ କାହାର ପଲ୍ଲା ଭାରି ରହୁଛି, ଭୋଟର କାହାକୁ ବାଛୁଛନ୍ତି ଓ କାହା ମୁଣ୍ଡରେ ହାତୀ ସୁନା କଳସ ଢାଳୁଛି ତାହା ଆସନ୍ତା ୧୪ରେ ଜଣାପଡିବ।