ରୁଷିଆ ପାଇଁ ଭାରତ ଉପରେ ଟ୍ରମ୍ପ ଖପ୍ପା: କଲେ ବଡ଼ ଘୋଷଣା, ଅଗଷ୍ଟ ୧ରୁ…

ଓ୍ବାଶିଂଟନ,୩୦।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅଗଷ୍ଟ ୧ ତାରିଖର ଡେଡ୍‌ଲାଇନ୍‌ ପୂର୍ବରୁ ଭାରତ ଉପରେ ୨୫ ପ୍ରତିଶତ ଟାରିଫ ଲଗାଇଛନ୍ତି। ଟାରିଫ ଲଗାଇବା ସମୟରେ ଟ୍ରମ୍ପ ଭାରତ ପ୍ରତି ଧମକପୂର୍ଣ୍ଣ ଶବ୍ଦ ବ୍ୟବହାର କରିଛନ୍ତି। ଏହି ଟାରିଫ ଭାରତର ରୁଷିଆ ସହ ବନ୍ଧୁତ୍ୱ ଯୋଗୁ ଲଗାଯାଇଛି। ଗତ କିଛି ବର୍ଷ ଧରି ଭାରତ ରୁଷିଆରୁ ସର୍ବାଧିକ ଅଶୋଧିତ ତୈଳ ଆମଦାନୀ କରୁଛି, ଯେଉଁଥିପାଇଁ ଆମେରିକା ରାଷ୍ଟ୍ରପତି ଭାରତ ଉପରେ ୨୫ ପ୍ରତିଶତ ଟାରିଫ ସହ ଜୋରିମାନା ମଧ୍ୟ ଲଗାଇଛନ୍ତି।
ଗତ ୩ ବର୍ଷ ଧରି ରୁଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି। ଏହି କାରଣରୁ ୟୁରୋପୀୟ ଦେଶମାନେ ରୁଷିଆ ଉପରେ ଅନେକ ପ୍ରତିବନ୍ଧକ ଲଗାଇଛନ୍ତି ଏବଂ ରୁଷିଆରୁ ଅଶୋଧିତ ତୈଳ ଓ ଗ୍ୟାସ ଆମଦାନୀ କରୁନାହାନ୍ତି। ହେଲେ ଭାରତ ଗତ କିଛି ବର୍ଷ ଧରି ରୁଷିଆରୁ ଶସ୍ତା ଅଶୋଧିତ ତୈଳ କିଣୁଛି, ଯାହା ଆମେରିକା ଓ ୟୁରୋପ ପାଇଁ ଅସନ୍ତୋଷର କାରଣ ହୋଇଛି। ଏହି ପରିପ୍ରେକ୍ଷୀରେ ଆମେରିକା ରାଷ୍ଟ୍ରପତି ଭାରତ ଉପରେ ୨୫ ପ୍ରତିଶତ ଟାରିଫ ଓ ଜୋରିମାନା ଲଗାଇଛନ୍ତି।
ସୋସିଆଲ ମିଡିଆରେ ପୋଷ୍ଟ କରି ଟ୍ରମ୍ପ କହିଛନ୍ତି, ଯଦିଓ ଭାରତ ଆମର ବନ୍ଧୁ, କିନ୍ତୁ ବର୍ଷ ବର୍ଷ ଧରି ଆମେ ସେମାନଙ୍କ ସହ ବହୁତ କମ ବ୍ୟବସାୟ କରିଛୁ। କାରଣ ସେମାନଙ୍କର ଟାରିଫ (ଆମଦାନୀ ଶୁଳ୍କ) ବହୁତ ଅଧିକ, ବିଶ୍ୱରେ ସବୁଠାରୁ ଅଧିକ ମଧ୍ୟରୁ ଗୋଟିଏ। ଏହା ସହ ସେମାନଙ୍କର କଠୋର ଓ ଚିନ୍ତିତ କରୁଥିବା ଅଣ-ଅର୍ଥନୈତିକ ବାଣିଜ୍ୟ ଅବରୋଧ ରହିଛି, ଯାହା ଯେକୌଣସି ଦେଶରେ ସବୁଠାରୁ କଷ୍ଟକର ବୋଲି ଗଣାଯାଏ। ଏହା ବ୍ୟତୀତ ଭାରତ ସର୍ବଦା ନିଜର ଅଧିକାଂଶ ସାମରିକ ସାମଗ୍ରୀ ରୁଷିଆରୁ କିଣୁଛି। ଚାଇନା ସହ ମିଶି ରୁଷିଆରୁ ସର୍ବାଧିକ ଶକ୍ତି ମଧ୍ୟ କିଣୁଛି। ଏପରି ସମୟରେ ଯେତେବେଳେ ସମସ୍ତେ ଚାହୁଁଛନ୍ତି ରୁଷିଆ ୟୁକ୍ରେନ ସହ ଯୁଦ୍ଧ ବନ୍ଦ କରୁ, ଏହି ସବୁ କଥା ଭଲ ନୁହେଁ। ତେଣୁ ଏବେ ଭାରତକୁ ଅଗଷ୍ଟ ପହିଲାରୁ ୨୫% ଟାରିଫ ଦେବାକୁ ହେବ। ଏହି କାରଣରୁ ଏକ ଜୋରିମାନା ମଧ୍ୟ ଲାଗୁ ହେବ। ଏହି କଥା ପ୍ରତି ଧ୍ୟାନ ଦେଇଥିବା ପାଇଁ ଧନ୍ୟବାଦ। MAGA!
ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଉପରେ ୨୫ ପ୍ରତିଶତ ଟାରିଫ ଲଗାଇବା ନିଷ୍ପତ୍ତିର ପ୍ରଭାବ ଆସନ୍ତାକାଲି ଅର୍ଥାତ ଗୁରୁବାର ଶେୟାର ବଜାର ଉପରେ ଦେଖାଯାଇପାରେ। ବିଶେଷଜ୍ଞଙ୍କ ମତରେ, ଏହି ଟାରିଫ ନିଷ୍ପତ୍ତି ଭାରତୀୟ ଶେୟାର ବଜାର ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ। ବଜାରରେ ବଡ଼ ଧରଣର ହ୍ରାସ ଦେଖାଯାଇପାରେ।

Share