ତିନିମୁହାଣି ଫେରିଘାଟରେ ୨୫ ଫୁଟ୍‌ର ବଉଳା କୁମ୍ଭୀର: ପଦା କଲାଣି ଛେଳି, ମେଣ୍ଢା, ବତକ

ମହାକାଳପଡ଼ା, ୨୩ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗୋବରୀ ମାଉଥ ୱାନ୍‌ ବଉଳକଣି -ଜମ୍ବୁ – କେବି ଦାଣ୍ଡୁଆ ପଞ୍ଚାୟତର ସଙ୍ଗମସ୍ଥଳ ତିନି ମୁହାଣି ଫେରିଘାଟରେ ଏକ ୨୫ ଫୁଟ୍‌ରୁ ଅଧିକ ଲମ୍ବର ବିଶାଳ ବଉଳା କୁମ୍ଭୀର ଆତଙ୍କ ଖେଳାଇଛି। ଫଳରେ ଡଙ୍ଗାପାର ସମୟରେ କୁମ୍ଭୀରଟି ଡଙ୍ଗା ନିକଟରେ ଭାସୁଥିବା କୁହାଯାଉଛି। ନଦୀକୂଳ ବାସିନ୍ଦାଙ୍କ ଛେଳି, ମେଣ୍ଢା, ବତକ ଓ ଗୋରୁଙ୍କୁ ଆକ୍ରମଣ କରିବା ନ଼େଇ ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା। ସ୍ଥାନୀୟ ଲୋକେ ନଦୀରୁ ମାଛ, କଙ୍କଡ଼ା ଧରି ପରିବାର ପ୍ରତିପୋଷଣ କରୁଥିଲେ। ଅଦ୍ୟାବଧି ଲୋକମାନେ ନଦୀକୁ ପ୍ରବେଶ କରିବା ପାଇଁ ଭୟ କରୁଛନ୍ତି। କେବଳ ଏହି କୁମ୍ଭୀର ନୁହେଁ , ସ୍ଥାନୀୟ ଅଞ୍ଚଳର ପଠାଣପେଟା, ଜମ୍ବୁ, ବେଣାକନ୍ଧା, ମିଲନମୋଡ଼, ତରପଦା, ରଡ଼ିଆ, ବଅଢ଼ି, ବାବର, ଇଟାକଣ୍ଡିଆ, ଏକଲପୁର ଘାଟ, ମାଳିଅଞ୍ଚ ଘାଟ, ବିଜୟନଗର ଘାଟ, ଦେଉଳପଡ଼ା, ଚଣ୍ଡିଆପଲ୍ଲୀ, ଓରତଘାଟ ଓ ଜାଲକଣା ଆଦି ଗ୍ରାମ ନିକଟ ଗୋବରୀ ନଦୀରେ ବହୁ ସଂଖ୍ୟାରେ ଛୋଟଠାରୁ ବଡ଼ ବଉଳା କୁମ୍ଭୀର ଦେଖିବାକୁ ମିଳିଛି ବୋଲି ସ୍ଥାନୀୟ ଲୋକେ କହିିଛନ୍ତି।
ବିଭାଗ ପକ୍ଷରୁ ବିଭିନ୍ନ ଘାଟକୂଳ ଗାଧୁଆତୁଠରେ ତାରଜାଲି ବାଡ଼ା ତିଆରି କରିଥିଲେ ମଧ୍ୟ ଏହା ନିମ୍ନମାନର ହୋଇଥିବା ଯୋଗୁ ଅନେକ ସ୍ଥାନରେ ତାହା ନଷ୍ଟହୋଇ ଗଲାଣି। ସେଥିପାଇଁ ବନ ବିଭାଗ ଅଧିକାରୀ ଦୃଷ୍ଟିଦେବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଅପରପକ୍ଷରେ ଜମ୍ବୁ-ମାର୍ଶାଘାଇ ମୁଖ୍ୟ କେନାଲରେ ୩ କୁମ୍ଭୀର ପ୍ରବେଶକରି ଆତଙ୍କ ସୃଷ୍ଟି କରୁଛନ୍ତି ବୋଲି ସ୍କୁଲଘେରି ଗ୍ରାମର ମନି ବିଶ୍ୱାସ, ଦିଲୀପ ମଣ୍ଡଳ ଓ କୃପାସିନ୍ଧୁ ହାଲ୍‌ଦାର ପ୍ରମୁଖ କହିଛନ୍ତିି।
ଏ ସମ୍ପର୍କରେ ମହାକାଳପଡ଼ା ରେଞ୍ଜ ଅଧିକାରୀ ଶାନ୍ତନୁ କୁମାର ଦଳାଇଙ୍କୁ ପଚାରିବାରୁ ବନ ବିଭାଗ ପକ୍ଷରୁ ନଦୀକୂଳ ଲୋକଙ୍କୁ ନଦୀକୁ ପ୍ରବେଶ ପାଇଁ ସଚେତନତା ସୃଷ୍ଟି କରାଯାଇଛି ବୋଲି ସେ କହିଛନ୍ତି।