ଦିଗପହଣ୍ଡି,୨୩ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସ୍କଫ)ର ୨୪ତମ ଜାତୀୟ ସମ୍ମିଳନୀ ତାମିଲନାଡୁର ଚେନ୍ନାଇଠାରେ ଅନୁଷ୍ଠିତ ହୋଇଯାଇଛି। ଦୁଇଦିନ ଧରି ଅନୁଷ୍ଠିତ ଏହି ସମ୍ମିଳନୀରେ ଇସକଫ୍ର ଜାତୀୟ ପରିଷଦ ଅଧ୍ୟକ୍ଷ ଭାନୁଦେବ ଦତ୍ତ ସଭାପତିତ୍ୱ କରିଥିଲେ। ବିଶ୍ବ ଶାନ୍ତି ପରିଷଦର ସଭାପତି ପଲ୍ଲବ ସେନ ଗୁପ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମ୍ମିଳନୀକୁ ଉଦ୍ଘାଟନ କରିଥିଲେ। ଆନ୍ତର୍ଜାତୀୟ ଶାନ୍ତି, ଭାରତର ସାର୍ବଭୌମତ୍ୱ ଓ ସାମ୍ପ୍ରଦାୟିକ ସଦ୍ଭାବ ବଜାୟ ରଖିବା ଉପରେ ସମ୍ମିଳନୀରେ ବିଭିନ୍ନ ଆଲୋଚନାଚକ୍ରମାନ ହୋଇଥିଲା। ସେହିପରି ସମ୍ମିଳନୀ ଶେଷରେ ଚେନ୍ନାଇ ଘୋଷଣାନାମା ଗୃହୀତ କରାଯାଇ ଆନ୍ତର୍ଜାତୀୟ ସ୍ତରରେ ଅନ୍ୟ ଦେଶକୁ ଓ ଜାତୀୟ ସ୍ତରରେ ବିଭିନ୍ନ ରାଜ୍ୟ ମଧ୍ୟରେ ସାଂସ୍କୃତିକ ପ୍ରତିନିଧି ଦଳ ପ୍ରେରିତ କରାଯାଇ ସମ୍ପର୍କ ଏବଂ ସଂଗଠନ ସୁଦୃଢ଼ କରାଯିବାକୁ ନିଷ୍ପତ୍ତି ହୋଇଥିଲା। ଏହି ଅବସରରେ ଇସ୍କଫ ନୂତନ କର୍ମକର୍ତ୍ତା ନିର୍ବାଚନ କରାଯାଇଥିଲା। ପଶ୍ଚିମବଙ୍ଗର ବିଶିଷ୍ଟ ଲେଖକ ଭାନୁଦେବ ଦତ୍ତଙ୍କୁ ଅଧ୍ୟକ୍ଷ ଏବଂ ଓଡ଼ିଶାର ଶିକ୍ଷାବିତ ବିଜୟ ପଢିଆରିଙ୍କୁ ସାଧାରଣ ସମ୍ପାଦକ ଭାବେ ପୁନଃ ନିର୍ବାଚିତ କରାଯାଇଥିଲା। ସୁପ୍ରିମକୋର୍ଟ ପୂର୍ବତନ ମୁଖ୍ୟ ବିଚାରପତି କେ.ଜି.ବାଲକ୍ରିଷ୍ଣାନ, ଓଡ଼ିଶାର ଜଷ୍ଟିସ ମନୋରଞ୍ଜନ ମହାନ୍ତିଙ୍କୁ ସଭାପତି ମଣ୍ଡଳୀ ସଦସ୍ୟ ଏବଂ ନବଗଠିତ ୮୧ ଜଣିଆ ଜାତୀୟ ପରିଷଦକୁ ଓଡ଼ିଶାର ଜାନକୀ ବଲ୍ଲଭ ମହାନ୍ତି, ବିଜୟ ମହାନ୍ତି, ସଦାନନ୍ଦ ସାହୁ, କିଶୋରୀ ଦାସ, ସଞ୍ଜୟ ପରିଜା, ବିଷ୍ଣୁ ମୁଦୁଲିଙ୍କ ସହ ଗଞ୍ଜାମ ଜିଲାର ଆଇନଜୀବୀ ଗୋକୁଳ ଚନ୍ଦ୍ର ପଣ୍ଡା ଏବଂ ହରପ୍ରସାଦ ରଥଙ୍କୁ ନିର୍ବାଚିତ କରାଯାଇଛି।