ନୂଆଦିଲ୍ଲୀ,୨୮ା୩: ଦକ୍ଷିଣ ଏସିଆ ଓ ଅନ୍ୟ ଉପସାହାରୀୟ ଆଫ୍ରିକୀୟ ରାଷ୍ଟ୍ରଗୁଡ଼ିକରେ ମାତୃ ମୃତ୍ୟୁହାର ଅତ୍ୟନ୍ତ ଚିନ୍ତାଜନକ ରହିଛି। ୨୦୨୩ରେ ଭାରତ ସମେତ ଏହି ଅଞ୍ଚଳରେ ପ୍ରତି ୧ ଲକ୍ଷ ଶିଶୁ ଜନ୍ମରେ ୨୪,୭୦୦ ମାତୃମୃତ୍ୟୁ ଘଟିଥିବା ଏକ ନୂଆ ବୈଶ୍ୱିକ ବିଶ୍ଳେଷଣରୁ ଜଣାପଡ଼ିଛି। ଦି ଲାନ୍ସେଟ୍ ଅବ୍ଷ୍ଟେଟ୍ରିକ୍ସ, ଗାଇନେକୋଲୋଜି ଆଣ୍ଡ ଓମେନ୍ସ ହେଲ୍ଥ ଜର୍ନାଲରେ ପ୍ରକାଶିତ ଅନୁଧ୍ୟାନ ରିପୋର୍ଟ ଅନୁସାରେ ଏହି ସମୟରେ ପାକିସ୍ତାନରେ ପ୍ରତି ୧ ଲକ୍ଷ ଶିଶୁ ଜନ୍ମରେ ୧୦,୩୦୦ ମା’ଙ୍କ ମୃତ୍ୟୁ ଘଟିଥିଲା। ଆଫ୍ରିକୀୟ ଦେଶ ଇଥିଓପିଆ ଓ ନାଇଜେରିଆରେ ଏହି ହାର ଯଥାକ୍ରମେ ୧୧,୯୦୦ ଓ ୩୨,୯୦୦ ରହିଥିଲା।
ଓ୍ବାଶିଂଟନ୍ ୟୁନିଭର୍ସିଟିସ୍ଥିତ ଇନ୍ଷ୍ଟିଚୁଟ୍ ଫର୍ ହେଲ୍ଥ ମେଟ୍ରିକ୍ସ ଆଣ୍ଡ୍ ଇଭାଲ୍ୟୁଏଶନ୍ (ଆଇଏଚ୍ଏମ୍ଇ) ଗବେଷକଙ୍କ ନେତୃତ୍ୱରେ କରାଯାଇଥିବା ଏହି ଅଧ୍ୟୟନରୁ ଆହୁରି ଜଣାପଡ଼ିଛି ଯେ, ଗତ ୩ ଦଶନ୍ଧି ମଧ୍ୟରେ ମାତୃ ମୃତ୍ୟୁହାର ହ୍ରାସ ପାଇଛି। କିଛି ବର୍ଷ ହେଲା ଏହି କ୍ଷେତ୍ରରେ ସାମାନ୍ୟ ଉନ୍ନତି ଆସିଥିବାବେଳେ କେତେକ ଅନୁନ୍ନତ ଦେଶରେ ଅବସ୍ଥା ଉଦ୍ବେଗଜନକ ରହିଛି। ଗ୍ଲୋବାଲ ବର୍ଡନ ଅଫ୍ ଡିଜିଜ୍ (ଜିବିଡି) ୨୦୨୩ ଗବେଷଣା ବିଶ୍ୱର ୨୦୪ ଦେଶ ଓ ଭୂଖଣ୍ଡରେ ମାତୃ ମୃତ୍ୟୁହାରର ସମ୍ପୂର୍ଣ୍ଣ ଚିତ୍ର ପ୍ରଦାନ କରାଯାଇଛି। ତଦନୁସାରେ ବିଶ୍ୱରେ ୨୦୨୩ରେ ପ୍ରତି ୧ ଲକ୍ଷ ଶିଶୁ ଜନ୍ମରେ ମାତୃ ମୃତ୍ୟୁହାର ୨.୪ ଲକ୍ଷ ରହିଛି। ଅନ୍ୟପକ୍ଷେ ୨୦୪ରୁ ୧୦୪ ଦେଶ ଓ ଭୂଖଣ୍ଡ ଅଦ୍ୟାବଧି ପ୍ରତି ୧ ଲକ୍ଷ ଶିଶୁ ଜନ୍ମରେ ମାତୃ ମୃତ୍ୟୁହାରକୁ ୭୦ରେ ସୀମିତ ରଖିବା ନେଇ ନିରନ୍ତର ବିକାଶ ଲକ୍ଷ୍ୟ (ଏସ୍ଡିଜି) ହାସଲ କରିପାରିନାହାନ୍ତି। ଗର୍ଭାବସ୍ଥାରେ ହାଇପରଟେନ୍ସିଭ୍ ଡିଜ୍ଅର୍ଡରକୁ ଏହାର ଏକ ବଡ଼ କାରଣ ବୋଲି କୁହାଯାଉଛି। କୋଭିଡ୍-୧୯ ସଂକ୍ରମଣ ବେଳେ ମଧ୍ୟ ମାତୃ ମୃତ୍ୟୁହାର ଅଧିକ ରହିଥିଲା। ୨୦୨୦-୨୧ରେ ମହାମାରୀ ମୁକାବିଲା ପାଇଁ ଭାକ୍ସିନ ଆସିବା ପୂର୍ବରୁ ମାତୃ ମୃତ୍ୟୁହାର ସାମୟିକ ଭାବେ ଅଧିକ ରହିଥିଲା।