କର୍ଲାମୁଣ୍ଡା:୫।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ୨୪ଟି ବିଦ୍ୟାଳୟକୁ ତତ୍କାଳୀନ ରାଜ୍ୟ ସରକାର କମ ଛାତ୍ରୀଛାତ୍ର ଥିବା କାରଣରୁ ୨୦୨୦ ମସିହାରେ ସମ୍ପୁର୍ଣ୍ଣ ବନ୍ଦ କରିଦେଲେ। ଫଳରେ ବ୍ଲକର ଅନେକ ଗାଁର ଛାତ୍ରୀଛାତ୍ରମାନେ ଦୂର ଦୁରାନ୍ତକୁ ଯାଇ ପାଠ ପଢ଼ୁଥିବା ଦେଖିବାକୁ ମିଳିଛି। ତେବେ ସରକାର ପରିବର୍ତ୍ତନ ହେବା ପରେ ବନ୍ଦ ଥିବା ସ୍କୁଲ ଗୁଡିକ ପୁଣିଥରେ ଖୋଲିବା ନେଇ ଜନ ସାଧାରଣ ଆଶା ରଖିଥିଲେ। ହେଲେ ବର୍ତ୍ତମାନର ସରକାର ମଧ୍ୟ ଏଥିପାଇଁ ପଦକ୍ଷେପ ନେଉ ନ ଥିବା ଅଭିଯୋଗ ହେଉଛି।
ସୂଚନା ମତେ ବ୍ଲକର କମ ଛାତ୍ରୀଛାତ୍ର ଥିବା କାରଣରୁ ଦେଓଗାଁ,ସନ୍ଧିମୁଣ୍ଡା,କର୍ଲାମୁଣ୍ଡା ଫଳସାପଡା, ସରଗୁଲ ସରଦାପୁର, କେର୍ଣାପଲା, ଖଲିଆପାଲି ଜଟିଆପଡା, ସାପଲହରା ଗୁଚ୍ଛାପଡା, ଭଟାପଲା ଲଷ୍ମୀ ପଡା, ଗଜବାହାଲ ଇନ୍ଦ୍ରା କଲୋନୀ, ଟେର୍ଚାପଲା ଶାନ୍ତି ନଗର ପଡା, ରିଷିଡା ହରିଜନ ପଡା, କୁଶୁର୍ଲା ହଜାରୀ ପଡା, ରିଷିଡାର ସଳନ୍ଦୀଆମୁଣ୍ଡା, ବହଳମୁଣ୍ଡା ଓ ମାତୃପୁରୀ, ପୌରକେଲାର ରଣାପଡା, କଂସିଲର ପୁରୁଣାବତୀ ପଡା,ତେରେକେଲା,ଗଜବାହାଲ ବସ୍ତି,ଭାଲୁପିଆ ବୁଢ଼ୀମୁଣ୍ଡା, ତେରେସିଙ୍ଗା ଫଟାମୁଣ୍ଡା,ରାଜପୁର ସାଲେପାଲି, ବର୍ଣ୍ଣପଡା,ସୁରୁଜୁଲି ଖଲିଆସରା ପ୍ରଭୂତି ଗାଁ ମାନଙ୍କରେ ଥିବା ପ୍ରାଥମିକ ବିଦ୍ୟାଳୟ ଗୁଡିକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇ ନିକଟରେ ଥିବା ଅନ୍ୟ ବିଦ୍ୟାଳୟ ମାନଙ୍କରେ ସାମିଲ କରାଯାଇଛି। ତେବେ ଏଥି ମଧ୍ୟରୁ ଅନେକଗୁଡିଏ ଗାଁର ଛାତ୍ରୀଛାତ୍ର ମାନେ ଦୂରଦୁରାନ୍ତକୁ ପାଠ ପଢିବାକୁ ଯାଉଥିବା ଦେଖିବାକୁ ମିଳିଛି। ବିଶେଷ ଭାବେ ତେରେକେଲା,କେର୍ଣାପଲା,କୁଶୁର୍ଲା ହଜାରିପଡା,ଦେଓଗାଁ, ତେରେସିଙ୍ଗା ଫଟାମୁଣ୍ଡା, ସରଗୁଲ ସରଦାପୁର,ଭାଲୁପିଆ ବୁଢ଼ୀମୁଣ୍ଡା, ରିଷିଡା ମାତୃପୁରୀ, ରାଜପୁର ସାଲେପାଲି, ବହଳମୁଣ୍ଡା ଭଳି ଗାଁର ଛୋଟ ଛୋଟ ପିଲାମାନେ ବିପଦପୂର୍ଣ୍ଣ ରାସ୍ତାଦେଇ ବିଦ୍ୟାଳୟମାନଙ୍କୁ ପାଠ ପଢିବାକୁ ଯାଉଥିବା ଅଭିଭାବିକା,ଅଭିଭାବକ ମାନେ ଅଭିଯୋଗ କରିଛନ୍ତି। ଏନେଇ କର୍ଲାମୁଣ୍ଡା ବ୍ଲକ ଶିକ୍ଷା ଅଧିକାରୀ ବାଞ୍ଛା ନିଧି ପଣ୍ଡାଙ୍କୁ ପଚରାଯିବାରୁ ଉକ୍ତ ବିଷୟରେ ଜଲା ପ୍ରଶାସନ ସହିତ ଆଲୋଚନା କରିବୁ ବୋଲି କହିଛନ୍ତି।