ନୂଆଦିଲ୍ଲୀ,୧୩।୧: ‘ଅପରେସନ ସିନ୍ଦୂର’କୁ ନେଇ ଚମକାଇଲା ଭଳି ଖୁଲାସା କରିଛନ୍ତି ସେନା ମୁଖ୍ୟ ଉପେନ୍ଦ୍ର ଦ୍ୱିବେଦୀ। ଭାରତର ମାତ୍ର ୨୨ ମିନିଟର ଭୟଙ୍କର ଆକ୍ରମଣରେ ପାକିସ୍ତାନର ନିଷ୍ପତ୍ତି ନେବା କ୍ଷମତା ଦୋହଲି ଯାଇଥିଲା। ମଙ୍ଗଳବାର ସେନାର ବାର୍ଷିକ ଖବରଦାତା ସମ୍ମିଳନୀରେ ଦ୍ୱିବେଦୀ କହିଛନ୍ତି, ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ବିରୋଧରେ ଭାରତର ‘ଅପରେସନ ସିନ୍ଦୂର’ ଏକ ବଡ଼ ସଫଳତା ଥିଲା। ଏହି ଅପରେସନର ଦୁଇଟି ମୁଖ୍ୟ ‘ଟର୍ଣ୍ଣିଂ ପଏଣ୍ଟ’ ବା ନିର୍ଣ୍ଣାୟକ ମୋଡ଼ ବିଷୟରେ ସେ ଉଲ୍ଲେଖ କରିଥିଲେ।
ଦ୍ୱିବେଦୀଙ୍କ ଅନୁଯାୟୀ, ମେ’ ୭ ତାରିଖରେ ଭାରତୀୟ ସେନା ଆତଙ୍କବାଦୀ ଶିବିର ଉପରେ ଯେଉଁ ୨୨ ମିନିଟର ଆକ୍ରମଣ କରିଥିଲା, ତାହା ପାକିସ୍ତାନକୁ ସ୍ତବ୍ଧ କରିଦେଇଥିଲା। ସେ କହିଛନ୍ତି, “ଏହି ଆକ୍ରମଣ ପରେ ପାକିସ୍ତାନର ନିଷ୍ପତ୍ତି ନେବା ପ୍ରକ୍ରିୟା ସମ୍ପୂର୍ଣ୍ଣ ବିଗିଡ଼ି ଯାଇଥିଲା। ସେମାନେ କଣ ହେଉଛି ବୁଝିବାକୁ ବହୁ ସମୟ ନେଇଥିଲେ, ଯାହାଫଳରେ ସେମାନଙ୍କ ପାଲଟା ଜବାବ ଅତ୍ୟନ୍ତ ଦୁର୍ବଳ ଓ ବିଭ୍ରାନ୍ତିକର ଥିଲା।”
ଏହାପରେ ମେ’ ୧୦ ତାରିଖ ସକାଳେ ଭାରତୀୟ ସ୍ଥଳ, ବାୟୁ ଓ ନୌସେନାକୁ ଯୁଦ୍ଧ ପରିସ୍ଥିତି ବଢ଼ିଲେ କଣ କରିବାକୁ ହେବ, ସେ ନେଇ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଥିଲା। ପାକିସ୍ତାନ ପାଖରେ ଉପଗ୍ରହ ମାଧ୍ୟମରେ ଭାରତର ପ୍ରତ୍ୟେକ ଜାହାଜ, ବିମାନ ଓ ସୈନ୍ୟବାହିନୀର ଗତିବିଧି ଉପରେ ସମ୍ପୂର୍ଣ୍ଣ ସୂଚନା ଥିଲା। ଯେତେବେଳେ ସେମାନେ ଭାରତର ଏହି ପ୍ରସ୍ତୁତି ଦେଖିଲେ, ସେମାନେ ଭୟଭୀତ ହୋଇ ଯୁଦ୍ଧ ବନ୍ଦ କରିବାକୁ ଅନୁରୋଧ କରିଥିଲେ।