ଇନ୍ଦୋରରେ ପୁଣି ଜଳ ପ୍ରଦୂଷଣ ଆତଙ୍କ: ଦୂଷିତ ପାଣି ପିଇ ୨୨ ଅସୁସ୍ଥ, ପୂର୍ବରୁ ମରିଥିଲେ ୨୫

ନୂଆଦିଲ୍ଲୀ,୨୩ା୧: ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଜଳ ପ୍ରଦୂଷଣ ଜନିତ ସମସ୍ୟା ଥମିବାର ନାମ ନେଉନାହିଁ। କିଛି ସପ୍ତାହ ପୂର୍ବରୁ ଦୂଷିତ ଜଳ ପିଇ ୧୫ ଜଣଙ୍କ ମୃତ୍ୟୁ ଘଟଣାର ଶୋକ ନ ଲିଭୁଣୁ ଏବେ ପୁଣି ଏକ ନୂଆ ମାମଲା ସାମ୍ନାକୁ ଆସିଛି। ସହରର ମହୁ ଅଞ୍ଚଳରେ ଦୂଷିତ ପାନୀୟ ଜଳ ବ୍ୟବହାର କରି ଅତିକମରେ ୨୨ ଜଣ ଅସୁସ୍ଥ ହୋଇ ପଡ଼ିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଅସୁସ୍ଥ ବ୍ୟକ୍ତିମାନେ ବାନ୍ତି ଏବଂ ଝାଡ଼ା ହେଉଥିବା ଅଭିଯୋଗ କରିଥିଲେ। ସେମାନଙ୍କ ମଧ୍ୟରୁ ୯ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟମାନଙ୍କୁ ଡାକ୍ତରୀ ନିରୀକ୍ଷଣରେ ଘରେ ରଖି ଚିକିତ୍ସା କରାଯାଉଛି। ଆଖପାଖ ଅଞ୍ଚଳରୁ ମଧ୍ୟ ସମାନ ଅଭିଯୋଗ ଆସୁଥିବାରୁ ଅସୁସ୍ଥଙ୍କ ସଂଖ୍ୟା ୨୫ରୁ ଅଧିକ ହୋଇପାରେ ବୋଲି ଆଶଙ୍କା କରାଯାଉଛି।

ଘଟଣା ସମ୍ପର୍କରେ ଖବର ପାଇ ଜିଲା କଲେକ୍ଟର ଶିବମ୍ ବର୍ମା ଗୁରୁବାର ବିଳମ୍ବିତ ରାତିରେ ହସ୍ପିଟାଲ ପହଞ୍ଚି ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଛନ୍ତି। ଶୁକ୍ରବାର ସକାଳୁ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ପ୍ରଭାବିତ ଅଞ୍ଚଳରେ ପହଞ୍ଚି ସର୍ଭେ ଆରମ୍ଭ କରିଛି ଏବଂ ଜଳର ନମୁନା ସଂଗ୍ରହ କରିଛି।

ଗତ ମାସ ଆରମ୍ଭରେ ଇନ୍ଦୋରର ଭାଗୀରଥପୁରା ଅଞ୍ଚଳରେ ସ୍ୱେରେଜ୍ ପାଣି ମିଶ୍ରିତ ପାନୀୟ ଜଳ ପିଇ ପ୍ରାୟ ୧୫ ଜଣ ପ୍ରାଣ ହରାଇଥିଲେ (ସ୍ଥାନୀୟ ଲୋକଙ୍କ ଅନୁସାରେ ଏହି ସଂଖ୍ୟା ୨୫)। ଏହି ମାମଲା ବର୍ତ୍ତମାନ ମଧ୍ୟପ୍ରଦେଶ ହାଇକୋର୍ଟରେ ବିଚାରଧୀନ ଅଛି। ସରକାର ଏହି ଘଟଣାର ତଦନ୍ତ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି।

ମାତ୍ର ଆବେଦନକାରୀମାନେ ହାଇକୋର୍ଟରେ ଅଭିଯୋଗ କରିଛନ୍ତି ଯେ, ଏହି କମିଟି କେବଳ ଏକ ‘ଲୋକଦେଖାଣିଆ’, ଯାହା ଦୋଷୀ ଅଧିକାରୀମାନଙ୍କୁ ସୁରକ୍ଷା ଦେବା ପାଇଁ ଗଠନ କରାଯାଇଛି।