୨୦୨୬ ହେବ ଆସିଆନ୍‌-ଇଣ୍ଡିଆ ସାମୁଦ୍ରିକ ସହଯୋଗର ବର୍ଷ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ/କୁଆଲାଲୁମ୍ବୁର,୨୭।୧୦: ଭାରତ-ଆସିଆନ୍‌ ବିସ୍ତୃତ ରଣନୈତିକ ସହଭାଗିତା ସମ୍ପ୍ରତି ବୈଶ୍ୱିକ ସ୍ଥିରତା ଓ ଅଭିବୃଦ୍ଧିର ଏକ ଶକ୍ତିଶାଳୀ ମୂଳଦୁଆ ଭାବେ ଉଭା ହେଉଛି ବୋଲି ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଭାରତ-ଆସିଆନ୍‌ (ଆସୋସିଏଶନ୍‌ ଅଫ୍‌ ସାଉଥ୍‌ଇଷ୍ଟ ଏସିଆନ୍‌ ନେଶନ୍ସ)ର ବାର୍ଷିକ ଶିଖର ସମ୍ମିଳନୀକୁ ଭିଡିଓ କନ୍‌ଫରେନ୍ସ ଜରିଆରେ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀର ଆକ୍ଟ ଇଷ୍ଟ ପଲିସିକୁ ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ଭାବେ ଅଭିହିତ କରିଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ସବୁବେଳେ ‘ଆସିଆନ୍‌ ସେଣ୍ଟ୍ରାଲି’ ଏବଂ ‘ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଆସିଆନ୍‌ର ଦୂରଦୃଷ୍ଟି’କୁ ସମର୍ଥନ ଦେଇଆସିଛି। ଏପରି କି ବର୍ତ୍ତମାନର ଅନିଶ୍ଚିତତା ଭିତରେ ମଧ୍ୟ ଭାରତ-ଆସିଆନ୍‌ ବିସ୍ତୃତ ରଣନୈତିକ ସହଭାଗିତା ପ୍ରଗତି ପଥରେ ଆଗେଇ ଚାଲିଛି। ଆମ ଦୃଢ଼ ସହଭାଗିତା ହେଉଛି ବୈଶ୍ୱିକ ସ୍ଥିରତା ଓ ଅଭିବୃଦ୍ଧି ପାଇଁ ଏକ ପ୍ରଭାବଶାଳୀ ମୂଳଦୁଆ। ଆସିଆନ୍‌ ବନ୍ଧୁ ରାଷ୍ଟ୍ରଗୁଡ଼ିକ ସହ ଭାରତ ପ୍ରତ୍ୟେକ ସଙ୍କଟ ସମୟରେ ଛିଡ଼ା ହୋଇଆସିଛି। ସାମୁଦ୍ରିକ ସୁରକ୍ଷା ଓ ନୀଳ ଅର୍ଥନୀତିରେ ଦ୍ୱିପାକ୍ଷିକ ସହଯୋଗ ଦ୍ରୁତଗତିରେ ଆଗକୁ ବଢ଼ୁଛି। ଏହି ପରିପ୍ରେକ୍ଷୀରେ ଆମେ ୨୦୨୬କୁ ସାମୁଦ୍ରିକ ସହଯୋଗର ଆସିଆନ୍‌-ଇଣ୍ଡିଆ ବର୍ଷ ରୂପେ ଘୋଷଣା କରୁଛୁ। ଶିକ୍ଷା, ପର୍ଯ୍ୟଟନ, ବିଜ୍ଞାନ ଓ କାରିଗରି, ସ୍ବାସ୍ଥ୍ୟ, ସବୁଜ ଶକ୍ତି ଏବଂ ସାଇବର ନିରାପତ୍ତାରେ ଅମେ ଦୃଢ଼ତାର ସହ ପାରସ୍ପରିକ ସହଯୋଗ ଆଡ଼କୁ ଅଗ୍ରସର ହେଉଛୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

 

Dharitri – The Largest & Most Trusted Odia Daily