Women’s Cricket World Cup Schedule Announcement, Hagley Oval, Christchurch, New Zealand. Tuesday 15 December 2020. © Copyright photo: Martin Hunter/ www.photosport.nz
ଦୁବାଇ, ୧୬।୧୨(ପି.ଟି.): ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ପକ୍ଷରୁ ୨୦୨୨ ମହିଳା କ୍ରିକେଟ ବିଶ୍ୱକପ ପାଇଁ ମଙ୍ଗଳବାର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଏହି ପ୍ରତିଯୋଗିତା ନ୍ୟୁଜିଲାଣ୍ଡରେ ଅନୁଷ୍ଠିତ ହେବ। ପୁନଃନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ମାର୍ଚ୍ଚ ୬ରେ ଟୌରଙ୍ଗାର ବେ ଓଭାଲ ଗ୍ରାଉଣ୍ଡରେ ଏକ କ୍ୱାଲିଫାୟର ଦଳ ବିପକ୍ଷରେ ଖେଳି ଭାରତ ଏହାର ଅଭିଯାନ ଆରମ୍ଭ କରିବ। ପରେ ମାର୍ଚ୍ଚ ୧୨ ଓ ୨୨ରେ ମଧ୍ୟ ଭାରତ ହାମିଲଟନର ସେଡନ ପାର୍କରେ ଅନ୍ୟ ଦୁଇ କ୍ୱାଲିଫାୟର ଦଳ ବିପକ୍ଷରେ ମ୍ୟାଚ ଖେଳିବ। ରାଉଣ୍ଡ ରବିନ ଭିତ୍ତିରେ ଖେଳାଯିବାକୁଥିବା ଟୁର୍ନାମେଣ୍ଟରେ ଭାରତ ମାର୍ଚ୍ଚ ୧୬ରେ ଇଂଲଣ୍ଡକୁ ଭେଟିବ। ଏହି ମ୍ୟାଚ ଲଡର୍ସରେ ୨୦୧୭ ମହିଳା ବିଶ୍ୱକପ ଫାଇନାଲର ରିମ୍ୟାଚ ସଦୃଶ ହେବ। ଏହାପରେ ଭାରତ ୧୯ରେ ଅକ୍ଲାଣ୍ଡର ଇଡେନ ପାର୍କରେ ଅଷ୍ଟ୍ରେଲିଆ ଏବଂ ୨୭ରେ ଖ୍ରୀଷ୍ଟଚର୍ଚ୍ଚର ହାଗ୍ଲେ ଓଭାଲରେ ଦକ୍ଷିଣ ଆଫ୍ରିକା ସହିତ ମୁକାବିଲା କରିବ। ଏହି ମେଗା ପ୍ରତିଯୋଗିତା ପ୍ରକୃତରେ ୨୦୨୧ ଫେବୃୟାରୀ-ମାର୍ଚ୍ଚ ମଧ୍ୟରେ ହେବାର ଥିଲା। ମାତ୍ର କୋଭିଡ୍-୧୯ ମହାମାରୀ ଯୋଗୁ ଏହାକୁ ସ୍ଥଗିତ ରଖା ଯାଇଥିଲା। ପୁନଃନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଏହି ପ୍ରତିଯୋଗିତା ୨୦୨୨ ମାର୍ଚ୍ଚ ୪ରୁ ଏପ୍ରିଲ ୩ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ୬ଟି ଆୟୋଜକ ସହର ଓ ଭେନ୍ୟୁକୁ ଅପରିବର୍ତ୍ତିତ ରଖାଯାଇଛି। ବିଶ୍ୱର ଶ୍ରେଷ୍ଠ ୮ଟି ଦଳ ଅକ୍ଲାଣ୍ଡ, ଟୌରଙ୍ଗା, ହାମିଲଟନ, ଓ୍ବେଲିଂଟନ, ଖ୍ରୀଷ୍ଟଚର୍ଚ୍ଚ ଓ ଡୁନେଡିନ୍ରେ ଖେଳିବେ।
କାର୍ଯ୍ୟସୂଚୀ ଅନୁସାରେ ମାର୍ଚ୍ଚ ୪ରେ ନ୍ୟୁଜିଲାଣ୍ଡ ଉଦ୍ଘାଟନୀ ମ୍ୟାଚରେ ଏକ କ୍ୱାଲିଫାୟର ଦଳକୁ ଭେଟି ଅଭିଯାନ ଆରମ୍ଭ କରିବ। ଓ୍ବେଲିଂଟନର ବେସିନ ରିଜର୍ଭ ଏବଂ ଖ୍ରୀଷ୍ଟଚର୍ଚ୍ଚର ହାଗ୍ଲେ ଓଭାଲ ସେମିଫାଇନାଲ ଆୟୋଜନ କରିବେ। ଖ୍ରୀଷ୍ଟଚର୍ଚ୍ଚରେ ଫାଇନାଲ ଏପ୍ରିଲ ୨ରେ ଖେଳାଯିବ। ଭାରତ ବ୍ୟତୀତ ବିଶ୍ୱକପ ପାଇଁ ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା କ୍ୱାଲିଫାଏ କରିଛନ୍ତି। ଅନ୍ୟ ୩ଟି ଦଳ ଆଇସିସି କ୍ୱାଲିଫାୟର ଟୁର୍ନାମେଣ୍ଟରୁ ଆସିବେ। ଏହି ପ୍ରତିଯୋଗିତା ଆସନ୍ତାବର୍ଷ ଶ୍ରୀଲଙ୍କାରେ ଜୁନ୍ ୨୬ରୁ ଜୁଲାଇ ୧୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ବିଶ୍ୱକପ ପାଇଁ ପୁରସ୍କାର ରାଶି ୫.୫ ମିଲିୟନ ନ୍ୟୁଜିଲାଣ୍ଡ ଡଲାର ରଖା ଯାଇଛି। ଯାହାକି ୨୦୧୭ ବିଶ୍ୱକପ ତୁଳନାରେ ୬୦ ପ୍ରତିଶତ ଏବଂ ୨୦୧୩ ତୁଳନାରେ ୧୦୦୦ ପ୍ରତିଶତ ଅଧିକ। ଦିନିକିଆ ହେଉ କିମ୍ବା ଟି୨୦, ଗତ ୩-୪ ବର୍ଷ ଧରି ଭାରତ ଆଇସିସି ଟୁର୍ନାମେଣ୍ଟଗୁଡ଼ିକରେ ଭଲ ପ୍ରଦର୍ଶନ କରିଆସୁଛି। ଆମେ ଯଦି ୨୦୨୨ରେ ବିଶ୍ୱକପ ଜିତିବାକୁ ସକ୍ଷମ ହେଉ ତେବେ ପରବର୍ତ୍ତୀ ପିଢ଼ିର ବାଳିକାଙ୍କ ପାଇଁ ବଡ଼ ପ୍ରେରଣା ସଦୃଶ ହେବ ବୋଲି ଭାରତୀୟ ଅଧିନାୟିକା ମିଥାଲି ରାଜ ପ୍ରକାଶ କରିଛନ୍ତି।