ଦାରିଙ୍ଗବାଡି,୧୫।୧୦(ଅରୁଣ ସାହୁ):୨୦୨୨ ବ୍ୟାଚର ଓଡିଶା ପ୍ରଶାସନିକ ଅଧିକାରୀଙ୍କ ୮ ଜଣିଆ ଦଳ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳକୁ ଏକ୍ସପୋଜର ପରିଦର୍ଶନ ତଥା ତାଲିମ ପାଇଁ ୪ ଦିନିଆ ଗସ୍ତ କରିଛନ୍ତି। ସେମାନେ ରବିବାର ଦାରିଙ୍ଗବାଡି ଜାଗୃତି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ଜାଗୃତିର କର୍ମକର୍ତ୍ତା ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ।
ପ୍ରକାଶ ଯେ, ଗୋପବନ୍ଧୁ ଏକାଡେମୀରୁ ଆସିଥିବା ୨୦୨୨ ବ୍ୟାଚର ଓଡିଶା ପ୍ରଶାସନିକ ଅଧିକାରୀଙ୍କ ମୁଖ୍ୟ ଲକ୍ଷ୍ୟ ଦୁର୍ଗମ ଅଞ୍ଚଳରେ ଗୋଷ୍ଠୀଗତ କାର୍ଯ୍ୟରେ କିଭଳି ସଫଳତା ମିଳିପାରୁଛି ଓ ଜନଜାତିଙ୍କ ବିକାଶ ହୋଇପାରିଛି। ସେ ସମ୍ପର୍କରେ ଶିକ୍ଷାପ୍ରାପ୍ତ ପାଇଁ ଦାରିଙ୍ଗବାଡିକୁ ଚୟନ କରିଛନ୍ତି। ସେମାନେ ଅଧିକାରୀ ଭାବେ ଦାୟିତ୍ୱ ନେବା ପୂର୍ବରୁ ଏହି ତାଲିମପ୍ରାପ୍ତ କରୁଛନ୍ତି। ଜାଗୃତି ସମ୍ପାଦକ କୈଳାଶ ଚନ୍ଦ୍ର ଦଣ୍ଡପାଟଙ୍କ ତତ୍ତ୍ୱାବଧାନରେ ଓଏଏସ ଅଧିକାରୀମାନେ ବିଭିନ୍ନ ଶିକ୍ଷାର୍ଜନ କରିଛନ୍ତି। ଏହି ଗସ୍ତ ସମୟରେ ଗୋଷ୍ଠୀଗତ ଜଙ୍ଗଲ ସୁରକ୍ଷା ସମ୍ପର୍କରେ ଜାଣିବା ସହ ବ୍ୟକ୍ତିଗତ ଜଙ୍ଗଲ ସୁରକ୍ଷା ଓ ଜଙ୍ଗଲ ଜମି ଅଧିକାର ଓ ସେ ସମ୍ପର୍କିତ କାର୍ଯ୍ୟକୁ ଦେଖିଥିଲେ ଓ ଲୋକଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ। ସେହିପରି ଶିଶୁମାନଙ୍କୁ ଲାଳନପାଳନ କରାଯାଉଥିବା ଗୃହ, ଜନଜାତିଙ୍କ ଜୀବନଜୀବିକା, କ୍ଷୁଦ୍ର ଦାନାରେ ପ୍ରସ୍ତୁତି ଖାଦ୍ୟ ଓ ତାର ଚାଷ, ଜୈବିକ ହଳଦୀ ଚାଷ, ମହିଳା ସୱୟଂ ସହାୟକ ଗୋଷ୍ଠୀଙ୍କ ସମ୍ପର୍କିତ ଆଦି ଦେଖିବା ସହ ସେ ସମ୍ପର୍କିତ ଶିକ୍ଷାର୍ଜନ କରିଥିଲେଏଥିପାଇଁ ସେମାନେ ଦୁର୍ଗମ କଟଡି ଗ୍ରାମ ସହ ଭ୍ରମରବାଡି, ସୁଲୁମାହା ଗ୍ରାମକୁ ଗସ୍ତ କରିଥିଲେ। ଏଥିସହ ଦାରିଙ୍ଗବାଡିର ପର୍ଯ୍ୟଟନକ୍ଷେତ୍ର ପରିଦର୍ଶନ, ଅନ୍ତରଙ୍ଗ ଯୁବ ମହାସଙ୍ଘର କର୍ମକର୍ତ୍ତା ଓ ସଦସ୍ୟଙ୍କ ସହ ଆଲୋଚନା ମହିଳା ସଂଗଠନର ଭୂମିକା ଓ ସେମାନଙ୍କ ସହ ଆଲୋଚନା କରିଥିଲେ। ସେହିପରି ସେମାନେ ଜାଗୃତି ସଭାଗୃହ ପରିସରରେ ସରକାରଙ୍କ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଏକ ବୈଠକରେ ଯୋଗଦେଇ ଥିଲେ।
ଓଏଏସ ଅଧିକାରୀମାନଙ୍କୁ ଜାଗୃତିର ଧ୍ରୁବ ଚରଣ ନାୟକ,ସଦାନନ୍ଦ ସିଂ, ଧନେଶ୍ୱର ସାହୁ ଓ ଅନ୍ୟକର୍ମକର୍ତ୍ତା ଏହି କାର୍ଯ୍ୟରେ ସହାୟତା ପ୍ରଦାନ କରିଥିଲେ। ଓଏଏସଙ୍କ ମଧ୍ୟରେ ସୌରଭ କୁମାର ବିଶି,ସମୀର ପାଇକରାୟ,ପ୍ରଭାକର ଦୀପା,
କୁମରେସ ସାହୁ, ଶିବାନୀ ରାଉତ, ଶୁଚିସ୍ମିତା ମହାଉତି, ଦିପ୍ତୀରେଖା ବାଗ, ରଶ୍ମିତା ଲେଙ୍କା. ପ୍ରମୁଖ ଦାରିଙ୍ଗବାଡି ଆସିଥିଲେ। ଶେଷ ଦିନରେ ଜାଗୃତି ପକ୍ଷରୁ ସେମାନଙ୍କୁ ଅଭିନନ୍ଦନ ଜଣାଇବା ପାଇଁ ଏକ କାର୍ଯ୍ୟକ୍ରମ କରାଯାଇ ସ୍ମୃତିପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।