Categories: Home Leftଖେଳ

୨୦୨୩କୁ ଘୁଞ୍ଚିଲା ଏସିଆ କପ୍‌

ଦୁବାଇ, ୨୩।୫ : ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ଯୋଗୁ ଏସିଆ କପ୍‌ର ୨୦୨୧ ସଂସ୍କରଣ ୨୦୨୩ରେ ଅନୁଷ୍ଠିତ ହେବ। ଏହି ବର୍ଷର ଏସିଆର ସବୁଠୁ ବଡ଼ କ୍ରିକେଟ ଟୁର୍ନାମେଣ୍ଟ ପ୍ରଥମେ ପାକିସ୍ତାନରେ ଅନୁଷ୍ଠିତ ହେବାର ଥିଲା। ପରେ ଏହା ଶ୍ରୀଲଙ୍କାରେ ଆୟୋଜିତ କରାଯିବା ନେଇ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଦେଶରେ ବଢ଼ୁଥିବା କୋଭିଡ୍‌-୧୯ ସଂକ୍ରମଣ ଯୋଗୁ ଚଳିତ ବର୍ଷ ଇଭେଣ୍ଟ ଆୟୋଜନ କରିବାକୁ ଅକ୍ଷମତା ପ୍ରକାଶ କରିଥିଲା ଶ୍ରୀଲଙ୍କା କ୍ରିକେଟ ବୋର୍ଡ।

ଏହି ଇଭେଣ୍ଟରେ ଅଂଶଗ୍ରହଣ କରିବାକୁ ଥିବା ଭାରତ, ପାକିସ୍ତାନ, ଶ୍ରୀଲଙ୍କା ଓ ବାଂଲାଦେଶ ଭଳି ୪ ବଡ଼ ସଦସ୍ୟଙ୍କ ନିକଟରେ ଚଳିତ ବର୍ଷ ଶେଷ ପର୍ଯ୍ୟନ୍ତ ସମୟ ନାହିଁ। ଏଣୁ ଏସିଆ କପ୍‌ ପାଇଁ କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯିବା ଅତ୍ୟନ୍ତ କଷ୍ଟକର। ଏ ସମ୍ପର୍କରେ ଏସିଆନ୍‌ କ୍ରିକେଟ କାଉନ୍ସିଲ (ଏସିସି) ପକ୍ଷରୁ ରବିବାର ଏକ ବିବୃତି ଜାରି କରାଯାଇଛି।

କୋଭିଡ୍‌-୧୯ ସ୍ଥିତିରେ ସ୍ଥଗିତ ରଖିବା ଛଡ଼ା ଅନ୍ୟ କୌଣସି ବାଟ ନାହିଁ। ୨୦୨୨ରେ ଏସିଆ କପ୍‌ ଖେଳାଯିବାର ଅଛି। ଏଣୁ ୨୦୨୧ରେ ଯେଉଁ ଏସିଆ କପ୍‌ ଖେଳାଯାଇଥାନ୍ତା, ତାହା ୨୦୨୩ରେ ଆୟୋଜନ କରାଯିବ ବୋଲି ଏସିସି ପକ୍ଷରୁ ବିବୃତିରେ କୁହାଯାଇଛି। ଉଲ୍ଲେଖଯୋଗ୍ୟ, ୨୦୧୮ ଠାରୁ ଏସିଆ କପ୍‌ ଖେଳାଯାଇ ନାହିଁ। ୨୦୨୦ରେ ମହାମାରୀ କାରଣରୁ ଏହାକୁ ସ୍ଥଗିତ ରଖାଯାଇଥିଲା।