୨୦୦ ବର୍ଷ ପୁରୁଣା ଉଦୟପୁର ଦୁର୍ଗାପୂଜା: ବିଜୟାଦଶମୀରେ ନିଆରା ଦିଗବିନ୍ଧା ପରମ୍ପରା

ପାଟଣା,୨।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ଉଦୟପୁରର ରେ ରାଜା ରାଜୁଡ଼ା ଅମଳରୁ ୨ଶହ ବର୍ଷ ତଳୁ ଅଷ୍ଟଧାତୁ ନିର୍ମିତ ଦେବୀ ଦୁର୍ଗାପୂଜା ସ୍ବତନ୍ତ୍ର ମାନ୍ୟତା ରହିଛି। କେନ୍ଦୁଝରର ଶେଷ ରାଜା ବଳଭଦ୍ର ନାରାୟଣ ଭଞ୍ଜଦେଓଙ୍କ ସମୟରେ ଉଦୟପୁର ଏକ ଦଣ୍ଡପାଟ ଥିଲା। ବାଲବଦ୍ର ଭଞ୍ଜ ୧୯୨୬ ମସିହା ଅଗଷ୍ଟ ମାସ ୧୨ ତାରିଖ କେନ୍ଦୁଝରର ରାଜା ଭାବେ ଅଭିସିକ୍ତ ହେବା ପରଠାରୁ ଏକ ଅଷ୍ଟଧାତୁ ନିର୍ମତ ଦୁର୍ଗାମୂର୍ତ୍ତି ଦେଇ ଏଠାରେ ପୂଜାର୍ଚ୍ଚନା ସହ ଏକ ପ୍ରମୁଖ ଶକ୍ତି ଉପାସନା କେନ୍ଦ୍ର ରୂପେ ବିବେଚିତ ହୋଇ ଆସୁଛି।

ଏହି ଅଷ୍ଟ ଧାତୁ ନିର୍ମିତ ଦୁର୍ଗା ମୂର୍ତ୍ତିରେ ପ୍ରଥମେ ଉଦୟପୁରରେ ଦୁର୍ଗାପୂଜା ଆରମ୍ଭ ହୋଇଥିଲା। କାଳକ୍ରମେ ଅଷ୍ଟ ଧାତୁର ମୂର୍ତ୍ତିଟି ଚୋରି ହୋଇଯାଇଥିଲା। ପୁନର୍ବାର ଗ୍ରାମବାସୀଙ୍କ ଉଦ୍ୟମରେ ଏକ ଅଷ୍ଟ ଧାତୁର ମୂର୍ତ୍ତି ନିର୍ମାଣ କରି କରି ପୂଜା ଅର୍ଚ୍ଚନା ହୋଇ ଆସୁଥିବାବେଳେ ୧୯୬୫ମସିହାରୁ ମୃଣ୍ମୟୀ ମୂର୍ତ୍ତି ସହ ଅଷ୍ଟଧାତୁର ମୂର୍ତ୍ତି ମଧ୍ୟ ପୂଜା କରାଯାଉଛି l

ଚଳିତ ବର୍ଷ ଦଶମୀ ଗୁରୁବାରରେ ସ୍ବତନ୍ତ୍ର ପୂଜା ଅର୍ଚ୍ଚନା ସହସୂର୍ଯ୍ୟ ପୂଜା, ହୋମ ଯଜ୍ଞ, ଦିଗ ବିନ୍ଧା କାର୍ଯ୍ୟକ୍ରମ ନୀତି କାନ୍ତିରେ ପୂଜା ସଂପନ୍ନ ହୋଇଛି। ପରମ୍ପରା ଅନୁଯାୟୀ, ଦିଗବିନ୍ଧା ପଡ଼ିଆରେ ନୀତିକାନ୍ତିରେ ୪ ଦିଗରେ ୪ କଦଳୀ ଗଛ ପୋତି ଧନୁରେ ଶର ବିନ୍ଧା ସମ୍ପୂର୍ଣ୍ଣ ହୋଇଛି। ରାତ୍ରିରେ ରାବଣ ଦହନ କାର୍ଯ୍ୟକ୍ରମ ହେବ ବୋଲି ଅନୁଷ୍ଠାନର ଗୋପ ବନ୍ଧୁ ବିଶାଳ କହିଛନ୍ତି। ପୂଜକ ପଣ୍ଡିତ ନିରଞ୍ଜନ ଦାଶ, ଆଚାର୍ଯ୍ୟ ସୋମ୍ୟରଞ୍ଜନ ଦାଶ, ଭକ୍ତ ରଞ୍ଜନ ଦାଶ,ଫାଲଗୁନ ଦାଶ ପ୍ରମୁଖ ନୀତି କାନ୍ତିରେ ପୂଜାର୍ଚ୍ଚନା କରିଥିବାବେଳେ କର୍ତ୍ତା ଭାବେ ନିହାର ରଞ୍ଜନ ଦେଓ ଓ ସ୍ତ୍ରୀ ମଧୁସ୍ମିତା ଦେବୀ ପୂଜା କାର୍ଯ୍ୟ ସଂପାଦନ କରିଥିଲେ। କମିଟିର ସଭାପତି ପ୍ରଶାନ୍ତ ପରିଡ଼ା,ସଂପାଦକ ମାନସ ରଞ୍ଜନରାଜ,ସଦସ୍ୟ ବିପିନ ବିହାରୀ ସାମଲ,ନୃସିଂହ ଚରଣ ବିଶ୍ବାଳ,ସତ୍ୟପ୍ରିୟ ପୋହି,ପ୍ରମୁଖଙ୍କ ସହିତ କମିଟିର ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହି ପୂଜା କାର୍ଯ୍ୟ ସମ୍ପାଦନ କରୁଛନ୍ତି।