SOUTHAMPTON, ENGLAND - JULY 12: West Indies captain Jason Holder shakes hands with England captain Ben Stokes after winning the 1st #RaiseTheBat Test match at The Ageas Bowl on July 12, 2020 in Southampton, England. (Photo by Dan Mullan/Getty Images for ECB)
ସାଉଥାମ୍ପଟନ, ୧୪।୭-
କରୋନା ସଂକ୍ରମଣ ଜନିତ ୪ ମାସର ବ୍ରେକ୍ ପରେ ଅନ୍ତର୍ଜାତୀୟ କ୍ରିକେଟ ପ୍ରତ୍ୟାବର୍ତ୍ତନର ପ୍ରଥମ ଟେଷ୍ଟରେ ବିଜୟ ସ୍ବାଦ ଚାଖିଛି ଓ୍ବେଷ୍ଟଇଣ୍ଡିଜ। ସ୍ଥାନୀୟ ରୋଜ ବାଓଲ ଷ୍ଟାଡିୟମରେ ରବିବାର ଶେଷ ହୋଇଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟକୁ ଭ୍ରମଣକାରୀ ଦଳ ୪ ଉଇକେଟରେ ଜିତି ନେଇଛି। ଏଥିସହ ୩ ମ୍ୟାଚ ବିଶିଷ୍ଟ ସିରିଜରେ ଓ୍ବେଷ୍ଟଇଣ୍ଡିଜ ୧-୦ରେ ଅଗ୍ରଣୀଲାଭ କରିଛି। ମ୍ୟାଚର ୪ର୍ଥ ଇନିଂସରେ ଓ୍ବେଷ୍ଟଇଣ୍ଡିଜ ସମ୍ମୁଖରେ ୨୦୦ ରନର ବିଜୟ ଲକ୍ଷ୍ୟ ରହିଥିଲା, ଯାହାକୁ ଓ୍ବେଷ୍ଟଇଣ୍ଡିଜ ୬ ଉଇକେଟ ହରାଇ ହାସଲ କରି ନେଇଥିଲା। ରେକର୍ଡ ଅନୁସାରେ କୌଣସି ଟେଷ୍ଟର ୪ର୍ଥ ଇନିଂସରେ ଓ୍ବେଷ୍ଟଇଣ୍ଡିଜ ଯେତେଥର ୨୦୦ କିମ୍ବା ତାଠାରୁ କମ୍ ରନ ଚେଜ୍ କରିଛି କେବେ ପରାଜୟ ସ୍ବାଦ ଚାଖିନାହିଁ। ଏହାକୁ ମିଶାଇ ଓ୍ବେଷ୍ଟଇଣ୍ଡିଜ ମୋଟ ୬୧ ଥର ୨୦୦ କିମ୍ବା ତା’ଠାରୁ କମ୍ ସ୍କୋର ଟାର୍ଗେଟ ପାଇଛି। ସେଥିରୁ ୫୫ଟି ମ୍ୟାଚରେ ବିଜୟଲାଭ କରିଥିବାବେଳେ ଅବଶିଷ୍ଟ ୬ ମ୍ୟାଚ ଡ୍ର ରହିଛି। ଜିମ୍ବାଓ୍ବେ, ବାଂଲାଦେଶ, ଆଫଗାନିସ୍ତାନକୁ ବାଦ୍ ଦେଲେ ଓ୍ବେଷ୍ଟଇଣ୍ଡିଜ ବିଦେଶରେ କୌଣସି ସିରିଜ ଖେଳିବାକୁ ଯାଇ ଏହା ପୂର୍ବରୁ ୨୦୦୭-୦୮ରେ ପ୍ରଥମ ଟେଷ୍ଟ ଜିତିଥିଲା। ଦଳ ସେତେବେଳେ ପୋର୍ଟ ଏଲିଜାବେଥଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏହି ସଫଳତା ପାଇଥିଲା। ୨୦୦୦ରେ ଇଂଲଣ୍ଡ ଗସ୍ତରେ ମଧ୍ୟ ଓ୍ବେଷ୍ଟଇଣ୍ଡିଜ ସିରିଜର ପ୍ରଥମ ଟେଷ୍ଟ ଜିତିଥିଲା। ମାତ୍ର ଉଭୟଥର ଦଳ ଶେଷରେ ସିରିଜ ହାରିଥିଲା।
୨୦୧୩-୧୪ ଆଶେସ ସିରିଜ ପରଠାରୁ ଇଂଲଣ୍ଡ ୨୪(୨ କିମ୍ବା ତଦୂର୍ଦ୍ଧ୍ୱ ଟେଷ୍ଟ)ଟି ଟେଷ୍ଟ ସିରିଜ ଖେଳିଛି। ତେବେ ଏହା ମଧ୍ୟରୁ ୨୨ଟିରେ ଅତିକମ୍ରେ ଗୋଟିଏ ଟେଷ୍ଟରେ ପରାଜିତ ହୋଇଛି। ଏହି ସମୟ ମଧ୍ୟରେ ଗୋଟିଏ ଦଳ ଇଂଲଣ୍ଡକୁ ହରାଇ ପାରିନାହିଁ। ଶ୍ରୀଲଙ୍କା ୨୦୧୬ ଏବଂ ୨୦୧୮-୧୯ ସିଜନରେ ଇଂଲଣ୍ଡ ବିପକ୍ଷରେ ୨ଟି ସିରିଜରେ ୬ଟି ଟେଷ୍ଟ ଖେଳିଛି। ମାତ୍ର ଗୋଟିଏ ହେଲେ ମ୍ୟାଚରେ ଇଂଲଣ୍ଡକୁ ପରାଜିତ କରି ପାରିନାହିଁ। ନିୟମିତ ଅଧିନାୟକ ଜୋ ରୁଟ୍ଙ୍କ ଅନୁପସ୍ଥିତିରେ ବେନ୍ ଷ୍ଟୋକ୍ସ କାମଚଳା ଅଧିନାୟକ ଦାୟିତ୍ୱ ତୁଲାଇ ନିଜ ପ୍ରଥମ ମ୍ୟାଚରେ ପରାଜିତ ହୋଇଛନ୍ତି। ଏହା ପୂର୍ବରୁ ୨୦୦୩ରେ ମାଇକେଲ ଭନ୍ ଅଧିନାୟକ ଦାୟିତ୍ୱ ସମ୍ଭାଳିଥିଲେ ହେଁ ପ୍ରଥମ ଟେଷ୍ଟରେ ପରାଜୟ ମୁହଁ ଦେଖିଥିଲେ। ଇଂଲଣ୍ଡ ବିପକ୍ଷରେ ବ୍ଲାକ୍ଉଡ୍ଙ୍କ ରେକର୍ଡ ଖୁବ୍ ଭଲ। ୨୦୧୫ରେ ଓ୍ବେଷ୍ଟଇଣ୍ଡିଜ ୮୦ ରନରେ ୪ଟି ଉଇକେଟ ହରାଇଥିବାବେଳେ ସେ କ୍ରିଜ୍କୁ ଆସିଥିଲେ। ସେତେବେଳେ ଦଳ ବିଜୟ ଲକ୍ଷ୍ୟଠାରୁ ୧୧୨ ରନ ଦୂରରେ ଥିଲା। ବ୍ଲାକ୍ଉଡ୍ ୪୭ ରନରେ ଅପରାଜିତ ରହି ଇଂଲଣ୍ଡକୁ ନିରାଶ କରିଥିଲେ। ସେହିପରି ୨୦୧୭ରେ ଓ୍ବେଷ୍ଟଇଣ୍ଡିଜ ବିଜୟ ପାଇଁ ୭୬ ରନ ଆବଶ୍ୟକ କରୁଥିବାବେଳେ ସେ କ୍ରିଜ୍କୁ ଆସି ୪୧ ରନର ଇନିଂସ ଖେଳିଥିଲେ। ଏବେ ସାଉଥାମ୍ପଟନଠାରେ ୨୦୦ ରନ ବିଜୟ ଲକ୍ଷ୍ୟର ପିଛା କରି ଓ୍ବେଷ୍ଟଇଣ୍ଡିଜ ୨୭ ରନ ମଧ୍ୟରେ ଟପ୍ ଅର୍ଡରର ୩ଟି ଉଇକେଟ ହରାଇ ସାରିଥିବାବେଳେ ସେ ବ୍ୟାଟ୍ ଧରି ପଡ଼ିଆକୁ ଓହ୍ଲାଇଥିଲେ। ଦକ୍ଷତାର ପରିଚୟ ଦେଇ ସେ ୯୫ ରନର ମୂଲ୍ୟବାନ ଇନିଂସ ଖେଳି ଓ୍ବେଷ୍ଟଇଣ୍ଡିଜକୁ ସ୍ମରଣୀୟ ବିଜୟ ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ।