Categories: ଜାତୀୟ

ବିଦାୟକାଳୀନ ଭାଷଣ ଦେବାବେଳେ ହୃଦ୍‌ଘାତ: ମଞ୍ଚ ଉପରୁ ଟଳିପଡ଼ିଲେ ୨୦ ବର୍ଷିଆ ଛାତ୍ରୀ

ମୁମ୍ବାଇ, ୬।୪: ମହାରାଷ୍ଟ୍ରର ଧାରାଶିଭ୍‌ ଜିଲା ପରାଡାସ୍ଥିତ ଆର୍‌.ଜି. ଶିନ୍ଦେ କଲେଜରୁ ରବିବାର ଏକ ଦୁଃଖଦ ଘଟଣା ସାମ୍‌ନାକୁ ଆସିଛି। କଲେଜରେ ବିଦାୟକାଳୀନ ଉତ୍ସବ ଚାଲିଥିବାବେଳେ ବର୍ଷା କରାଟ (୨୦) ନାମ୍ନୀ ସ୍ନାତକ ଶେଷ ବର୍ଷର ଜଣେ ଛାତ୍ରୀ ଶିକ୍ଷୟିତ୍ରୀ, ଶିକ୍ଷକ, ସହପାଠୀ ଓ ଜୁନିୟରଙ୍କୁ ସମ୍ବୋଧନ କରୁଥିଲେ। ଏହି ସମୟରେ ସେ ତାଙ୍କ କଲେଜ ଅନୁଭୂତିକୁ ହସି ହସି ବଖାଣୁଥିଲେ।

ତେବେ ହଠାତ୍‌ ବର୍ଷାଙ୍କର ହୃଦ୍‌ଘାତ ହୋଇଥିଲା ଏବଂ ସେ ମଞ୍ଚ ଉପରୁ ଟଳି ପଡ଼ିଥିଲେ। ବେହୋସ୍‌ ଅବସ୍ଥାରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ସେଠାରେ ବର୍ଷାଙ୍କୁ ମୃତ ଘୋଷଣା କରାଯାଇଛି। ବର୍ଷାଙ୍କ ମୃତ୍ୟୁ ପରେ ଆର୍‌.ଜି. ଶିନ୍ଦେ କଲେଜରେ ଶୋକର ଛାୟା ଖେଳିଯାଇଛି। ୮ ବର୍ଷ ବୟସରେ ବର୍ଷାଙ୍କର ହାର୍ଟ ସର୍ଜରି ହୋଇଥିଲା। ତେବେ ଗତ ୧୨ ବର୍ଷ ଧରି ତାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପୂର୍ଣ୍ଣ ଠିକ୍‌ ଥିଲା ବୋଲି ବର୍ଷାଙ୍କ ପରିବାର ପକ୍ଷରୁ କୁହାଯାଇଛି।

Share