୨୦ ରୁ ୧୨୮୯ରେ ପହଞ୍ଚିଲାଣି: କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ଦିବସ ପାଳିତ

ଭଞ୍ଜନଗର,୧୫।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟରେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ୬୩ ତମ ପ୍ରତିଷ୍ଠା ଦିବସ ସୋମବାର ପାଳିତ ହୋଇଯାଇଛି। ୧୯୬୩ ମସିହାରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ଏହାର ମୂଳ ଲକ୍ଷ୍ୟ ଥିଲା କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଛୁଆମାନେ ପାଠ ପଢିବା। ଯେହେତୁ କେନ୍ଦ୍ର ସରକାରୀ କର୍ମଚାରୀମାନେ ବିଭିନ୍ନ ସମୟରେ ବିଭିନ୍ନ ରାଜ୍ୟକୁ ବଦଳି ହେଉଛନ୍ତି। ତେଣୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ
ଏହି ସମସ୍ୟାକୁ ଦୂର କରିବା ପାଇଁ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିଥିଲା। ୧୯୬୩ ମସିହାରେ ୨୦ ଟି କେନ୍ଦ୍ରୀୟ ବିଦ୍ୟାଳୟ ପ୍ରଥମେ ସ୍ଥାପିତ ହୋଇଥିଲା। ଆଜି ତାହା ୧୨୮୯ରେ ପହଞ୍ଚିଛି। ଦେଶ ବାହାରେ ମଧ୍ୟ କେନ୍ଦ୍ରୀୟ ବିଦ୍ୟାଳୟ ଶାଖା ଅଛି । ଶିକ୍ଷା କ୍ଷେତ୍ରରେ କେନ୍ଦ୍ରୀୟ ବିଦ୍ୟାଳୟର ସ୍ବତନ୍ତ୍ର ସୁନାମ ଅଛି। ଯାହା ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ।

ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟରେ ସୋମବାର ଅନୁଷ୍ଟିତ ପ୍ରତିଷ୍ଠା ଉତ୍ସବରେ ଯୋଗଦେଇ ବକ୍ତାମାନେ ତାହା ମତବ୍ୟକ୍ତ କରିଥିଲେ। ବିଦ୍ୟାଳୟ ଅଧ୍ୟକ୍ଷ ପ୍ରଦୀପ କମାନୁ ଏଥିରେ ଅଧ୍ୟକ୍ଷତା କରିଥିଲେ। ଭଞ୍ଜନଗର ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଲୋପାମୁଦ୍ରା ରଥ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଏଥିସହ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟ ପରିଚାଳନା କମିଟି ସଭ୍ୟ ଡ. ସୁଶାନ୍ତ କୁମାର ମଲ୍ଲିକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଛାତ୍ରୀଛାତ୍ରଧ୍‌ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ବରିଷ୍ଠ ଶିକ୍ଷକ ସତ୍ୟବାନ ସାହୁ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ।

 

Dharitri – Odisha’s No.1 Odia Daily

 

Share