ଭୁବନେଶ୍ୱର,୧୯।୧୨: ଦେଶରେ ଖାଦ୍ୟ ଏବଂ ପାନୀୟ ସାମଗ୍ରୀରେ ଅପମିଶ୍ରଣର ମାତ୍ରା ଅତ୍ୟନ୍ତ ଚିନ୍ତାଜନକ ରହିଛି। ରାଜ୍ୟସଭାରେ ଉପସ୍ଥାପିତ ସରକାରୀ ତଥ୍ୟ ଅନୁଯାୟୀ, ଗତ ପାଞ୍ଚ ବର୍ଷ ମଧ୍ୟରେ ଯାଞ୍ଚ କରାଯାଇଥିବା ସମସ୍ତ ଖାଦ୍ୟ ନମୁନା ମଧ୍ୟରୁ ପ୍ରତି ୫ଟି ନମୁନାରୁ ଗୋଟିଏରେ (୨୦ ପ୍ରତିଶତ) ଅପମିଶ୍ରଣ କିମ୍ବା ଗୁଣବତ୍ତାରେ ତ୍ରୁଟି ଦେଖିବାକୁ ମିଳିଛି।
ଗତ ୫ ବର୍ଷରେ ସମଗ୍ର ଦେଶରେ ପ୍ରାୟ ୮.୭ ଲକ୍ଷ ଖାଦ୍ୟ ନମୁନା ଯାଞ୍ଚ କରାଯାଇଛି। ସେଥିମଧ୍ୟରୁ ୧.୭୪ ଲକ୍ଷରୁ ଅଧିକ ନମୁନା ସୁରକ୍ଷା ଏବଂ ଗୁଣବତ୍ତାର ଧାର୍ଯ୍ୟ ମାନକରେ ଫେଲ୍ ହୋଇଛି। ଏହି ଅପମିଶ୍ରଣରେ ଜଡ଼ିତ ପ୍ରାୟ ୪୮୦୦ ଲୋକଙ୍କୁ ଦଣ୍ଡ ଦିଆଯାଇଛି ଏବଂ ସେମାନଙ୍କ ଉପରେ ୨୫୭ କୋଟି ଟଙ୍କାରୁ ଅଧିକ ଜରିମାନା ଲଗାଯାଇଛି।
ଚଳିତ ବର୍ଷ ସୁଦ୍ଧା ଯାଞ୍ଚ ହୋଇଥିବା ୧.୭ ଲକ୍ଷ ନମୁନାରୁ ୩୪,୦୦୦ରୁ ଅଧିକ ନମୁନା ଅସୁରକ୍ଷିତ ବୋଲି ଜଣାପଡ଼ିଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁଯାୟୀ, ଖାଦ୍ୟ ସୁରକ୍ଷା ଆଇନକୁ କଡ଼ାକଡ଼ି ଲାଗୁ କରିବା ପାଇଁ ପଦକ୍ଷେପ ନିଆଯାଉଛି। ବିଶେଷ କରି ଦୁଗ୍ଧଜାତ ସାମଗ୍ରୀ ଏବଂ ରେଡି ଟୁ ଇଟ୍ ଫୁଡ୍ସ ଭଳି ଅଧିକ ଅପମିଶ୍ରଣ ଆଶଙ୍କା ଥିବା ସାମଗ୍ରୀ ଉପରେ ଧ୍ୟାନ ଦିଆଯାଉଛି।
ବର୍ତ୍ତମାନ ‘ରିସ୍କ–ଭିଭିକ ଯାଞ୍ଚ ବ୍ୟବସ୍ଥା’ ମାଧ୍ୟମରେ ଅଧିକ ତ୍ରୁଟି ଚିହ୍ନଟ କରାଯାଉଛି, ଯାହା ଯାଞ୍ଚ ବ୍ୟବସ୍ଥାକୁ ମଜଭୁତ କରିଛି। ଉପଭୋକ୍ତାଙ୍କ ନିକଟରେ ସୁରକ୍ଷିତ ଖାଦ୍ୟ ପହଞ୍ଚାଇବା କେନ୍ଦ୍ର ଏବଂ ରାଜ୍ୟ ଉଭୟଙ୍କ ମିଳିତ ଦାୟିତ୍ୱ ବୋଲି ମନ୍ତ୍ରାଳୟ ସ୍ପଷ୍ଟ କରିଛି।