ଖଲ୍ଲିକୋଟ,୯।୯(ପ୍ରଶାନ୍ତ କୁମାର ମିଶ୍ର):ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଥିବା କ୍ୱାର୍ଟରରେ ବିରାଟ ଅଜଗର ସାପ। ବନ ବିଭାଗ କର୍ମଚାରୀ ଉଦ୍ଧାର କରି ଜଙ୍ଗଲରେ ଛାଡିଛନ୍ତି। ଖଲ୍ଲିକୋଟ ମେଡିକାଲର କର୍ମଚାରୀ ପଦ୍ମନାଭ ରାଓ ନିଜ କ୍ୱାର୍ଟର ଭିତରେ ଥିବାବେଳେ ସୋମବାର ରାତିରେ ଏକ ବିରାଟ ଅଜଗର ସାପ ପଶି ଯାଇଥିଲା। ଅଜଗର ସାପକୁ ଦେଖି ସେ ଭୟଭୀତ ହୋଇ ଘର ଭିତରେ କବାଟ ବନ୍ଦ କରି ରହିଥିଲେ। ସାପଟି ବାହାର ପଟୁ କବାଟକୁ ଲାଗି ଶୋଇ ରହିଥିଲା। ଏହି ଖବର ପ୍ରଚାରିତ ହେବା ମାତ୍ରେ ସାପକୁ ଦେଖିବା ପାଇଁ ଧୀରେ ଧୀରେ ଭିଡ ବଢିବାକୁ ଲାଗିଲା। ଏହା ପରେ ଖବର ପାଇ ବନ ବିଭାଗର ୪ ଜଣ କର୍ମଚାରୀ ପହଞ୍ଚି ଅଜଗରଟିକୁ ଉଦ୍ଧାର କରିଥିଲେ। ଅଜଗର ସାପଟି ୨୦ ଫୁଟ ଲମ୍ବ ହୋଇଥିବାବେଳେ ୪୦ କେଜି ଓଜନର ବୋଲି ବନ କର୍ମଚାରୀ କହିଛନ୍ତି । ସାପଟିକୁ ସୁରକ୍ଷିତ ଭାବେ ଏକ ଅଖା ଭିତରେ ରଖି ବନ ବିଭାଗର ଗାଡିରେ ନେଇ ନିକଟସ୍ଥ ଜଙ୍ଗଲରେ ଛାଡ଼ିଥିବା ଜଣାପଡ଼ିଛି।