ମଦ ଉପରେ ୨୦% ଗୋ ଶୁଳ୍କ

ଯୋଧପୁର, ୫ା୧୦: ରାଜସ୍ଥାନର ଯୋଧପୁରସ୍ଥିତ ପାର୍କ ପ୍ଲାଜା ହୋଟେଲ ଜିଓଫ୍ରେ ବାର୍‌ର ଏକ ବିଲ୍‌ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ବିଲ୍‌ରେ ମଦ ପାଇଁ ଗୁଡ୍ସ ଆଣ୍ଡ୍‌ ସର୍ଭିସେସ୍‌ ଟାକ୍ସ (ଜିଏସ୍‌ଟି) ଏବଂ ଭାଲ୍ୟୁ ଆଡେଡ୍‌ ଟାକ୍ସ (ଭାଟ) ବ୍ୟତୀତ ୨୦% ଅତିରିକ୍ତ କାଓ ସେସ୍‌ ବା ଗୋ ଶୁଳ୍କ ଆଦାୟ କରାଯାଇଛି। ଗୋ ସୁରକ୍ଷା ଏବଂ ଗୋ ଆଶ୍ରୟସ୍ଥଳଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ ଏହି କାଓ ସେସ୍‌ ଆଦାୟ କରାଯାଇଛି। ଗତ ସେପ୍ଟେମ୍ବର ୩୦ରେ ଜିଓଫ୍ରେ ବାର୍‌ରେ ଜଣେ ଗ୍ରାହକ କିଛି ଆମେରିକାନ୍‌ କର୍ନ ଫ୍ରିଟର୍ସ ଏବଂ ୬ଟି ବିଅର ଅର୍ଡର କରିଥିଲେ। ଗ୍ରାହକଙ୍କୁ ୨,୬୫୦ ଟଙ୍କାର ବିଲ୍‌ ଆସିଥିବାବେଳେ ଜିଏସ୍‌ଟି, ଭାଟ୍‌ ଏବଂ କାଓ ସେସ୍‌ ବାବଦକୁ ତାଙ୍କୁ ସମୁଦାୟ ୩,୨୬୨ ଟଙ୍କା ପୈଠ କରିବାକୁ ପଡ଼ିଥିଲା। ଏହି ବିଲ୍‌ ଭାଇରାଲ ହେବା ପରେ ସୋସିଆଲ ମିଡିଆରେ ଏହାକୁ ନେଇ ବିତର୍କ ସୃଷ୍ଟି ହୋଇଛି। ଘଟଣାକୁ ନେଇ ପାର୍କ ପ୍ଲାଜାର ମ୍ୟାନେଜର ନିଖିଲ ପ୍ରେମ କହିଛନ୍ତି, ରାଜସ୍ଥାନ ସରକାରଙ୍କ ଆଇନ ଅନୁଯାୟୀ ମଦ ବିକ୍ରୟ ପାଇଁ ଏହି ସେସ୍‌ ଲାଗୁ କରିବାକୁ ରାଜ୍ୟର ସମସ୍ତ ହୋଟେଲ ଏବଂ ବାର୍‌ ବାଧ୍ୟ। ଏନେଇ ୨୦୧୮ରେ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ତେଣୁ ମଦ ଉପରେ କାଓ ସେସ୍‌ ଲଗାଯିବା ଘଟଣାରେ କୌଣସି ନୂତନତ୍ୱ ନାହିଁ। କାଓ ସେସ୍‌ କେବଳ ମଦ ବିକ୍ରି ଉପରେ ଲାଗୁ ହୋଇଥାଏ, ଖାଦ୍ୟ ଉପରେ ଏହା ଲାଗୁ ହୁଏ ନାହିଁ ବୋଲି ସେ କହିଛନ୍ତି। ଆଇନ ଅନୁଯାୟୀ, ଭାଟ ପରିମାଣ ଉପରେ ୨୦% କାଓ ସେସ୍‌ ଲାଗୁ ହୋଇଥାଏ। ନିଖିଲ କହିଛନ୍ତି, ହୋଟେଲଗୁଡ଼ିକ ପକ୍ଷରୁ ଏହି ଅତିରିକ୍ତ ଟଙ୍କାକୁ ଗୋ ସୁରକ୍ଷା ଓ ସଂରକ୍ଷଣ ପାଇଁ ପ୍ରୋତ୍ସାହନ ସେସ୍‌ ଭାବରେ ସରକାରୀ ପୋର୍ଟାଲରେ ଅନ୍‌ଲାଇନ ଭାବେ ଜମା କରାଯାଇଥାଏ। ଅନେକ ହୋଟେଲ ସେମାନଙ୍କ ବିଲ୍‌ରେ କେବଳ ସର୍‌ଚାର୍ଜ ଲେଖି ଏହି ଶୁଳ୍କ ଆଦାୟ କରୁଥିବାବେଳେ ପାର୍କ ପ୍ଲାଜା ପକ୍ଷରୁ ଦିଆଯାଉଥିବା ବିଲ୍‌ରେ ଉକ୍ତ ଶୁଳ୍କକୁ କାଓ ସେସ୍‌ ଭାବେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଉଥିବା ସେ କହିଛନ୍ତି। ପ୍ରକାଶ ଯେ, ୨୦୧୮ରେ ରାଜସ୍ଥାନର ତତ୍କାଳୀନ ବସୁନ୍ଧରା ରାଜେଙ୍କ ନେତୃତ୍ୱାଧୀନ ସରକାର ପକ୍ଷରୁ ମଦ ବିକ୍ରି ଉପରେ କାଓ ସେସ୍‌ ଲଗାଇବା ପାଇଁ ଏକ ବିଜ୍ଞପ୍ତି ଜାରି କରାଯାଇଥିଲା।