ଗଞ୍ଜାମ, ୧୧।୧୧(ଅଖିଳ ତରାଇ): ରମ୍ଭା ସହରର ଲକ୍ଷ୍ମୀପୁର ସେବାଶ୍ରମ ବିଦ୍ୟାଳୟରେ ଅବାଧ ପ୍ରବେଶ କରି କୁନି ଛାତ୍ରୀଛାତ୍ରମାନଙ୍କୁ ମାରପିଟ୍ କରିବା ଘଟଣା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ଏହି ଘଟଣାରେ ଦୁଇ ଯୁବକଙ୍କ ନାମରେ ମାମଲା ରୁଜୁ ହୋଇଛି। କିନ୍ତୁ ପୋଲିସର ତ୍ୱରିତ ଛାଡ଼ିବା ନୀତି ଅଭିଭାବକମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ାଇଛି। ଘଟଣା ଅନୁଯାୟୀ, ଗତ ଶୁକ୍ରବାର ଅପରାହ୍ନ ସମୟରେ ବିଦ୍ୟାଳୟର ଖେଳ ପିରିୟଡ ଚାଲିଥିବା ବେଳେ ୬ ଜଣ ନାବାଳିକା ଛାତ୍ରୀଛାତ୍ରଖେଳ ପଡ଼ିଆରେ ଖେଳୁଥିଲେ। ହଠାତ୍ ଲକ୍ଷ୍ମୀପୁର ଗ୍ରାମର ରାମ ବେହେରା ଓ ରିଙ୍କୁ ବେହେରା ନାମକ ଦୁଇ ଯୁବକ ବିଦ୍ୟାଳୟ ପରିସରରେ ଅବାଧରେ ପ୍ରବେଶ କରି ଛାତ୍ରୀଛାତ୍ରଙ୍କୁ ଖେଳୁଥିବା ସମୟରେ ଡାକି ଆଣି ମାରପିଟ୍ କରିଥିଲେ। ଏହି ଘଟଣାରେ ଛାତ୍ରୀଛାତ୍ର ତୁରନ୍ତ ପ୍ରଧାନଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଜଣାଇଥିଲେ। ପ୍ରଧାନଶିକ୍ଷକ ବିଦ୍ୟାଳୟ ପରିଚାଳନା କମିଟିକୁ ଅବଗତ କରାଇଥିଲେ।
କମିଟି ପକ୍ଷରୁ ଶନିବାର ଏକ ବୈଠକ କରାଯାଇଥିଲା ଏବଂ ଅଭିଯୁକ୍ତମାନଙ୍କୁ ଡକାଯାଇଥିଲା, କିନ୍ତୁ ସେମାନେ ଉପସ୍ଥିତ ହୋଇନଥିଲେ। ଏହାପରେ କମିଟି ସଦସ୍ୟ, ପ୍ରଧାନଶିକ୍ଷକ, ଶିକ୍ଷୟିତ୍ରୀ ଓ ଅଭିଭାବକମାନେ ରମ୍ଭା ଥାନାରେ ଏକ ଲିଖିତ ଅଭିଯୋଗ ଦାଖଲ କରିଥିଲେ। ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ ଗିରଫ କରି ଧାରା ୪୧(ଏ) ଅନୁଯାୟୀ ସେମାନଙ୍କୁ ତୁରନ୍ତ ମୁକ୍ତ କରି ଦିଆଯାଇଥିଲା। ଏହି ନିଷ୍ପତ୍ତିରେ ଅସନ୍ତୁଷ୍ଟ ହୋଇ ଜଣେ ଛାତ୍ରୀର ପିତା ବସନ୍ତ ବେହେରା ଗଞ୍ଜାମର ଅତିରିକ୍ତ ଜିଲାପାଳ ପ୍ରମୋଦ କୁମାର ପୃଷ୍ଟିଙ୍କୁ ଅଭିଯୋଗ କରିଥିଲେ। ଏହାପରେ ପୋଲିସ ତତ୍ପରତା ପ୍ରଦର୍ଶନ କରିଥିବା କୁହାଯାଉଛି। ଥାନାର ଏଏସ୍ଆଇ ପ୍ରଭାତ କୁମାର ବାଲିକାନା କହିଛନ୍ତି ଯେ, ଛାତ୍ରୀମାନଙ୍କ ବୟାନ ମାଜିଷ୍ଟ୍ରେଟଙ୍କ ଆଗରେ ରେକର୍ଡ କରାଯାଇଛି ଏବଂ ଆଇନ ଅନୁଯାୟୀ ପଦକ୍ଷେପ ନିଆଯାଉଛି। ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଆଇନଗତ ହେବ।
ଅଭିଭାବକମାନେ ଅଭିଯୁକ୍ତମାନଙ୍କୁ ଖୋଲାଖୋଲି ବୁଲୁଥିବା ଅଭିଯୋଗ କରିଛନ୍ତି। ଅଭିଭାବକ ବସନ୍ତ ବେହେରା କହିଛନ୍ତି, ଏଭଳି ସମ୍ବେଦନଶୀଳ ମାମଲାରେ ଅଭିଯୁକ୍ତଙ୍କୁ ତୁରନ୍ତ ମୁକ୍ତ କରିବା ଅନ୍ୟାୟ। ବିଦ୍ୟାଳୟ ଭଳି ସୁରକ୍ଷିତ ସ୍ଥାନରେ ଏହିପରି ଘଟଣା ଗୁରୁତର ଅପରାଧ।” ରମ୍ଭା ଅଞ୍ଚଳବାସୀ ଏହି ଘଟଣାକୁ ତୀବ୍ର ନିନ୍ଦା କରିଥିବା ବେଳେ ସେବାଶ୍ରମର କୁନି ଛାତ୍ରୀଛାତ୍ରମାନଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ଘଟଣା ବିଦ୍ୟାଳୟଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ ପୁନର୍ବାର ଯାଞ୍ଚ କରିବାର ଆବଶ୍ୟକତା ସୂଚାଉଛି। ପୋଲିସ ପକ୍ଷରୁ ଅଧିକ ତଦନ୍ତ ଚାଲୁ ରହିଥିବା କୁହାଯାଉଛି।