କେନ୍ଦୁଝରର ୨ ଯୁବ ଭୂବୈଜ୍ଞାନିକ ରାଷ୍ଟ୍ରପତିଙ୍କ ଦ୍ବାରା ସମ୍ବର୍ଦ୍ଧିତ

ପାଟଣା ,୨୬ା୯(ବୀର କିଶୋର ଦାଶ): କେନ୍ଦୁଝର ଜିଲାର ୨ ଭୂତତ୍ତ୍ୱବିତ୍‌ ରାଷ୍ଟ୍ରୀୟ ଭୂ-ବିଜ୍ଞାନ ପୁରସ୍କାର ପାଇଛନ୍ତି। ଦେଶରେ ମୋଟ ୨୨ ଜଣ ଭୂତତ୍ୱବିତ ଏହି ପୁରଷ୍କାର ପଇଥିବା ବେଳେ କେନ୍ଦୁଝରରୁ ଶ୍ରଦ୍ଧାଞ୍ଜଳି ଶୁଭଦର୍ଶିନୀ ଓ ହରମନ ମହାନ୍ତ ଭୂବିଜ୍ଞାନ କ୍ଷେତ୍ରରେ ସେମାନଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନିତ ହୋଇଛନ୍ତି। ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ତରଫରୁ ଶୁକ୍ରବାର ରାଷ୍ଟ୍ରପତି ଭବନର ସଂସ୍କୃତି ସଦନରେ ଅନୁଷ୍ଠିତ ସ୍ବତନ୍ତ୍ର ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରୀୟ ଭୁ-ବିଜ୍ଞାନ ପୁରସ୍କାର-୨୦୨୪ ପ୍ରଦାନ କରି ଉଭୟଙ୍କୁ ସମ୍ବର୍ଦ୍ଧିତ କରିଥିଲେ।
ପାଟଣା ବ୍ଲକ୍‌ ସ୍ବାମ ଶାସନର ମେଧାବୀ ଝିଅ ଶ୍ରଦ୍ଧାଞ୍ଜଳି ଶୁଭଦର୍ଶୀନୀଙ୍କୁ କୋଇଲା, ଲିଗନାଇଟ, କୋଇଲା ବେଡ୍‌ରେ ମିଥେନ ଅନୁସନ୍ଧାନ ଓ ଆବିଷ୍କାର କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମର୍ଯ୍ୟାଦା ଜନକ ପୁରଷ୍କାର ପାଇଛନ୍ତି। ଶ୍ରଦ୍ଧାଞ୍ଜଳି ବର୍ତ୍ତମାନ ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆ ଓଡ଼ିଶା ଶାଖାର ଡାଇରେକ୍ଟର ଭାବେ ଅବସ୍ଥାପିତ ଅଛନ୍ତି। ସେ ସ୍ବାମ ଶାସନର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ମଦନ ମୋହନ ଦ୍ୱିବେଦୀ, ଅବସରପ୍ରାପ୍ତ ଶିକ୍ଷୟିତ୍ରୀ କୁମୁଦିନୀ କରଙ୍କ କନ୍ୟା ତଥା ରାଇସୁଆଁ ଗୋପିନାଥପୁର ଶାସନ ପେଟ୍ରୋଲିୟମ ଜିଓ ଲୋଜିଷ୍ଟ ଶିବଦତ୍ତ ମହାପାତ୍ରଙ୍କ ସ୍ତ୍ରୀ। ସଫଳତା ପାଇଁ କେନ୍ଦୁଝର ଏମ୍‌ପି ଅନନ୍ତ ନାୟକ, ପାଟଣା ବିଧାୟକ ଅଖିଳ ଚନ୍ଦ୍ରର ନାୟକ, ପୂର୍ବତନ ପାଟଣା ବିଧାୟକ ଜଗନ୍ନାଥ ନାଏକ, ପୂର୍ବତନ ପାଟଣା ବ୍ଲକ୍‌ ଅଧ୍ୟକ୍ଷ ଈଂ. ବିଦ୍ୟାଧର ଦାଶ, ପାଟଣା ବିଧାୟକଙ୍କ ପ୍ରତିନିଧି କମଳାକାନ୍ତ ଦାଶ, ଶିଳ୍ପପତି ବିବେକାନନ୍ଦ ଦାଶ, ଏମ୍‌ପିଙ୍କ ବ୍ଲକ୍‌ ପ୍ରତିନିଧି ପ୍ରହଲ୍ଲାଦ ପଲେଇ ପ୍ରମୁଖ ଶୁଭେଛା ଜଣାଇଛନ୍ତି। ସେହିଭଳି ଚମ୍ପୁଆ ବ୍ଲକ୍‌ ବାରିଆ ଗ୍ରାମର ହରମୋହନ ମହାନ୍ତ ବାରିଆର ଅବସରପ୍ରାପ୍ତ ଶିକ୍ଷକ କଳାକର ମହାନ୍ତ ଓ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ନର୍ମଦା ମହାନ୍ତଙ୍କ ପୁତ୍ର ଅଟନ୍ତି। ସେ ବର୍ତ୍ତମାନ ସିନିଅର ଜିଓଲୋଜିଷ୍ଟ ଭାବେ ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆ ଭୁବନେଶ୍ୱରଠାରେ କାର୍ଯ୍ୟରତ। ମୟୂରଭଞ୍ଜ ଜିଲାରେ ତମ୍ବା ଆବିଷ୍କାର ନିମନ୍ତେ ସେ ଏହି ସମ୍ମାନସ୍ପଦ ସମ୍ମାନ ପାଇଛନ୍ତି।